ଆସନ୍ତାକାଲିଠାରୁ ଜଳବାୟୁ ପ୍ରସଙ୍ଗରେ ବିଶ୍ବ ନେତୃବର୍ଗଙ୍କ ଦୁଇ ଦିନିଆ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ନିମନ୍ତ୍ରଣକ୍ରମେ ଜଳବାୟୁ ପ୍ରସଙ୍ଗରେ ଆୟୋଜିତ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଯାହାକି  ଆସନ୍ତାକାଲିଠାରୁ  ୨ଦିନ ଧରି ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ଣ ୫.୩୦ ରୁ ୭.୩୦ ମଧ୍ୟରେ “୨୦୩୦କୁ ଆମର ମିଳିତ ଦ୍ରୁତ ଦୌଡ଼” ବିଷୟରେ ନେତୃବୃନ୍ଦଙ୍କ ଅଧିବେଶନ-୧ରେ ତାଙ୍କର ବକ୍ତବ୍ୟ ରଖିବେ।

ଏହି ସମ୍ମିଳନୀରେ ଅନ୍ୟ ୪୦ ଜଣ ବିଶ୍ବ ନେତୃବୃନ୍ଦ ମଧ୍ୟ ଅଂଶଗ୍ରହଣ କରିବେ। ବୃହତ ଅର୍ଥବ୍ୟବସ୍ଥା ମଞ୍ଚର ସଦସ୍ୟ ରାଷ୍ଟ୍ର (ଯେଉଁଥିରେ ଭାରତ ଏକ ସଦସ୍ୟ), ଜଳବାୟୁ ପରିବର୍ତ୍ତନ ବିପଦ ରହିଥିବା ରାଷ୍ଟ୍ର ଓ ଅନ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଭାବେ ଏହି ନେତାମାନେ ଯୋଗଦେବେ। ଏହି ନେତାମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ବୃଦ୍ଧି, ଜଳବାୟୁ ପ୍ରଶମନ ଓ ଅନୁକୂଳନ ପାଇଁ ପାଣ୍ଠି ସଂଗ୍ରହ, ପ୍ରକୃତି ଆଧାରିତ ସମାଧାନ, ଜଳବାୟୁ ସୁରକ୍ଷା ସମେତ ସ୍ବଚ୍ଛ ଶକ୍ତି ପାଇଁ ପ୍ରଯୁକ୍ତି ଭିତ୍ତିକ ନବୋନ୍ମେଷ ଆଦି ପ୍ରସଙ୍ଗରେ ମତ ବିନିମୟ କରିବେ।

ଜାତୀୟ ପରିସ୍ଥିତି ଏବଂ ସ୍ଥାୟୀ ବିକାଶ ପ୍ରାଥମିକତାକୁ ସମ୍ମାନ ଦେବା ସହିତ ସମାବେଶୀ ଓ ସହନଶୀଳ ଆର୍ଥିକ ବିକାଶ ସହିତ ଜଳବାୟୁ କାର୍ଯ୍ୟକୁ କିପରି ଭାବେ ଆଗକୁ ନିଆଯାଇପାରିବ ସେ ସମ୍ପର୍କରେ ମଧ୍ୟ ନେତାମାନେ ବିଚାର ବିମର୍ଶ କରିବେ।

୨୦୨୧ ନଭେମ୍ବରରେ ସିଓପି ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଳବାୟୁ ପ୍ରସଙ୍ଗ ଉପରେ କେନ୍ଦ୍ରିତ ବିଶ୍ବସ୍ତରୀୟ ବୈଠକ ଶୃଙ୍ଖଳାର ଏକ ଅଂଶବିଶେଷ ସ୍ବରୂପ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି।

Comments
Loading...