ଆସନ୍ତାକାଲି ସର୍ଦ୍ଦାର ପଟେଲ୍‍ଙ୍କ ଜୟନ୍ତୀ : ଜାତୀୟ ଏକତା ଦିବସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି

କାଭେଡିଆଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରଧାନମନ୍ତ୍ରୀ, ଏକତା ଦୌଡ଼ର ଶୁଭାରମ୍ଭ କରିବେ ଅମିତ୍‍ ଶାହା

ନୂଆଦିଲ୍ଳୀ ; ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍ଙ୍କ ଜନ୍ମଦିନକୁ ଆସନ୍ତାକାଲି ଅର୍ଥାତ ଗୁରୁବାର ଜାତୀୟ ଏକତା ଦିବସ ଭାବେ ପାଳନ କରାଯିବ। ଏହି ଦିବସକୁ ମହା ଆଡମ୍ବରରେ ପାଳନ କରିବାପାଇଁ ଜୋରଦର ପ୍ରସ୍ତୁତି ଚାଲିଛି। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାରା ଦେଶର ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର କାଭେଡିଆଠାରେ ସର୍ଦ୍ଦାର ପଟେଲ୍‍ଙ୍କର ଷ୍ଟାଚ୍ୟୁ ଅଫ୍‍ ୟୁନିଟିରେ ଶ୍ରଦ୍ଧାଞ୍ଜଳି
ଅର୍ପଣ କରିବେ। ସେଠାରେ ସେ ଏକତା ଦିବସ ପ୍ୟାରେଡ୍‍ରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ କାରିଗରି ବିଦ୍ୟା ପ୍ରଦର୍ଶନୀ ବୁଲି ଦେଖିବେ। ତା’ପରେ ଶ୍ରୀ ମୋଦି କାଭେଡିଆଠାରେ ପ୍ରଶିକ୍ଷଣ ନେଉଥିବା ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ୨୦୧୪ ମସିହାରୁ ଅକ୍ଟୋବର ୩୧ ତାରିଖକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ଏବଂ ସମାଜର ସବୁ ବର୍ଗର ଲୋକ ଏକତା ପାଇଁ ଦୌଡ଼ରେ ଅଂଶଗ୍ରହଣ କରୁଛନ୍ତି।

ଗତ ରବିବାର ଦିନ ତାଙ୍କ ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଏକତା ପାଇଁ ଦୌଡ଼ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାପାଇଁ ସେ ଦେଶବାସୀଙ୍କୁ ନିବେଦନ କରିଥିଲେ। ସେ କହିଥିଲେ, ଗୋଟିଏ ଲକ୍ଷ୍ୟ – ‘ଏକ୍‍ ଭାରତ-ଶ୍ରେଷ୍ଠ ଭାରତ’ ପାଇଁ ଏକତା ପାଇଁ ଦୌଡ଼ରେ ଆମେ ସମସ୍ତେ ସାମିଲ୍‍ ହେବା ଉଚିତ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ନୂଆଦିଲ୍ଲୀର ମେଜର୍‍ ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆସନ୍ତାକାଲି ସକାଳେ ଏକତା ପାଇଁ ଦୌଡ଼ର ଶୁଭାରମ୍ଭ କରିବେ। ୧୫ ହଜାର ଅଂଶଗ୍ରହଣକାରୀ ଏଥିରେ ଯୋଗ ଦେବାର ଆଶା କରାଯାଉଛି। ଦିଲ୍ଲୀ ମେଟ୍ରୋ ସେବା ବଡ଼ି
ଭୋର୍‍ ୪ଟାରୁ ଆରମ୍ଭ ହେବ। ପ୍ରତିଯୋଗୀମାନଙ୍କୁ ଏକତା ଦୌଡ଼ରେ ପହଞ୍ଚିବାରେ ସୁବିଧା କରିବାପାଇଁ ଦିଲ୍ଲୀ ମେଟ୍ରୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‍ଠାରେ “ଏକ୍‍ ଭାରତ – ଶ୍ରେଷ୍ଠ ଭାରତ” ପର୍ବ ଆୟୋଜନ କରାଯାଇଛି। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ୍‍ କରି ଜାତୀୟ ସଂହତି ଭାବ ଉଦ୍ରେକ କରିବା ଲକ୍ଷ୍ୟରେ ଏହିସବୁ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଇଛି। ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ କଳାତ୍ମକ ଦକ୍ଷତା ଓ ଯୋଗାଯୋଗର ବିକାଶ ସହ “ଏକ୍‍ ଭାରତ ଶ୍ରେଷ୍ଠ ଭାରତ” ମନୋଭାବ ପ୍ରଦର୍ଶନ ପାଇଁ ଏହିସବୁ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।

Comments are closed.