ଗରିବ କଲ୍ୟାଣ ରୋଜଗାର ଅଭିଯାନ : ପ୍ରବାସୀ ଶ୍ରମିକଙ୍କୁ ମିଳିବ ୧୨୫ ଦିନର କାମ

ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ୧୨୫ ଦିନର କାମ ଦେବା ଯୋଜନାର ଲକ୍ଷ୍ୟ

– ଗ୍ରାମାଞ୍ଚଳରେ ଜୀବନ ଜୀବିକା ସୃଷ୍ଟି ପାଇଁ ଶନିବାର ଦିନ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ ଗରିବ କଲ୍ୟାଣ ରୋଜଗାର ଅଭିଯାନ 
– ଅଭିଯାନ ଦ୍ଵାରା ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି ହେବା ସହ କର୍ମ ସଂସ୍ଥାନ ସୁଯୋଗ ବୃଦ୍ଧି ପାଇବ
– ଗରିବ କଲ୍ୟାଣ ରୋଜଗାର ଅଭିଯାନ ପାଇଁ ଖର୍ଚ୍ଚ ହେବ ୫୦ ହଜାର କୋଟି

ନୂଆଦିଲ୍ଲୀ : ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ଭାରତ ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦ ତାରିଖ ଶନିବାର ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୃଶ୍ୟ ଶ୍ରାବ୍ୟ ସମ୍ମିଳନୀ ଜରିଆରେ ଏହାର ଶୁଭାରମ୍ଭ କରିବେ। ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ଏହି ଯୋଜନାର ଶୁଭାରମ୍ଭ ହେବ। ଏହାଛଡା ଅନ୍ୟ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ଆପାତତଃ ଏହି ଉଦଘାଟନୀ ସମାରୋହରେ ଯୋଗଦେବେ। କୋଭିଡ-୧୯ ବୈଶ୍ଵିକ ମହାମାରୀ ପରିପ୍ରେକ୍ଷୀରେ ୬ଟି ରାଜ୍ୟର ୧୧୬ ଜିଲ୍ଲାର ଗ୍ରାମବାସୀ ସାଧାରଣ ସେବା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ସାମାଜିକ ଦୂରତ୍ଵ ନିୟମ ମାନି ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
୧୨୫ ଦିନ ବ୍ୟାପୀ ଏହି ଅଭିଯାନ ମିଶନ ମୋଡରେ ଚାଲିବା ସହ ୨୫ଟି ଭିନ୍ନ ଭିନ୍ନ କାର୍ଯ୍ୟ ଦ୍ଵାରା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବ। ଗୋଟିଏ ପଟରେ ସେମାନଙ୍କୁ କାମ ଯୋଗାଇଦେବା ସହ ଅନ୍ୟ ପକ୍ଷରେ ଦେଶର ଗ୍ରାମାଞ୍ଚଳରେ ଏଥିପାଇଁ ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇପାରିବ।

ଏହି ଯୋଜନା ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରାୟ ୨୫ ହଜାର ଲେଖାଏଁ ପ୍ରବାସୀ ଶ୍ରମିକ ଫେରିଥିବା ଦେଶର ୬ଟି ରାଜ୍ୟରୁ ମୋଟ ୧୧୬ଟି ଜିଲ୍ଲାକୁ ଏଥିପାଇଁ ବଛାଯାଇଛି। ଏହି ୬ଟି ରାଜ୍ୟ ହେଲା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡ଼ିଶା  ସେଥିରେ ୨୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟ ରହିଛି। ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଏହିସବୁ ଜିଲ୍ଲାର ହୋଇଥିବା ଆକଳନ କରାଯାଇଛି । ଏହି ଅଭିଯାନକୁ ୧୨ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହଯୋଗ କରିବେ। ସେଗୁଡିକ ହେଲେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ସଡକ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଦୂରସଞ୍ଚାର ଓ କୃଷି ।

Comments are closed.