କୋଭିଡ -୧୯ ଯୋଦ୍ଧାମାନଙ୍କ ସମ୍ମାନାର୍ଥେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ବୁଦ୍ଧ ପୂର୍ଣ୍ଣିମା ଉତ୍ସବରେ ଅଂଶଗ୍ରହଣ କରିବା ସହିତ ଏକ ପ୍ରାର୍ଥନା ସଭାରେ ବକ୍ତବ୍ୟ ପ୍ରଦାନ କରିବେ। ଆନ୍ତର୍ଜାତୀୟ ବୌଦ୍ଧ ସମ୍ମେଳନ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ଏହି ଭର୍ଚୁଆଲ୍ ପ୍ରାର୍ଥନା କାର୍ଯ୍ୟକ୍ରମରେ ବିଶ୍ୱର ପ୍ରମୁଖ ବୌଦ୍ଧ ସଂଗଠନର ମୁଖ୍ୟମାନେ ଯୋଗ ଦେବେ। ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧଙ୍କ ଜନ୍ମ ବାର୍ଷିକୀକୁ ବୁଦ୍ଧ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ ଭାବରେ ପାଳନ କରାଯାଏ। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ଉତ୍ସବ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେବ। କରୋନା ପୀଡିତା ତଥା କୋଭିଡ -୧୯ର ସମ୍ମୁଖ ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ଚଳିତ ଥର ଏହି କାର୍ଯ୍ୟକ୍ରମ ବିଶେଷ ଭାବରେ ଆୟୋଜିତ ହେଉଛି।

ଏହି ଅବସରରେ ନେପାଳର ଲୁମ୍ବିନି ସାକ୍ରେଡ଼ ଗାର୍ଡେନ୍, ବୋଧଗୟା ସ୍ଥିତ ମହାବୋଧି ମନ୍ଦିର, ସାରନାଥ, ଭାରତର କୁସିନଗର ପବିତ୍ର ବୌଦ୍ଧ ସ୍ଥଳୀରୁ ପ୍ରାର୍ଥନା ସଭାର ସିଧା ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏବଂ ସଂଖ୍ୟାଲଘୁ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି।

Comments are closed.