ରାମଲୀଳା ମୈଦାନରେ ଧନ୍ୟବାଦ ର‍୍ୟାଲି : ଉଦବୋଧନ ଦେବେ ମୋଦୀ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମଧ୍ୟାହ୍ନରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ଏକ ଜନସମାବେଶରେ ଉଦବୋଧନ ଦେବେ । ଦିଲ୍ଲୀରେ ବେଆଇନଭାବେ ତିଆରି ହୋଇଥିବା ୧ହଜାର ୭୩୧ଟି କଲୋନିର ବାସିନ୍ଦାମାନଙ୍କୁ ଇତିମଧ୍ୟରେ ସରକାର ସେହି ଜାଗାର ମାଲିକାନା ସତ୍ତ୍ୱ ପ୍ରଦାନ କରିଛନ୍ତି। ସେଥିଲାଗି ଆଜିର ଏହି ଧନ୍ୟବାଦ ର‍୍ୟାଲିରେ ସଂପୃକ୍ତ କଲୋନିର ବାସିନ୍ଦାମାନେ ଯୋଗଦେବେ।

ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ କହିଛନ୍ତି, କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ଲାଗି ସଂପୃକ୍ତ କଲୋନିର ୧୧ଲକ୍ଷ ବାସିନ୍ଦା ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି ହସ୍ତାକ୍ଷର କରିଥିବା ତାଲିକା ଆଜି ଶ୍ରୀ ମୋଦୀଙ୍କୁ ପ୍ରଦାନ କରାଯିବ। ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ଏହି ସମାବେଶରେ କେନ୍ଦ୍ର ମନ୍ତ୍ରିମଣ୍ଡଳର କ୍ୟାବିନେଟ୍‍ ମନ୍ତ୍ରୀମାନଙ୍କ ସମେତ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ।

ପୂର୍ବରୁ ଚଳିତମାସରେ ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ ବିଲ୍‍ ୨୦୧୯ ସଂସଦରେ ଗୃହୀତ ହୋଇଛି। ଏହି ବିଲ୍‍ ମାଧ୍ୟମରେ
ସରକାର ନୂଆଦିଲ୍ଲୀରେ ବେଆଇନ ଭାବେ ନିର୍ମିତ ହୋଇଥିବା କଲୋନିଗୁଡ଼ିକର ବାସିନ୍ଦାଙ୍କୁ ସେମାନଙ୍କର ମାଲିକାନା ସତ୍ତ୍ୱ ପ୍ରଦାନ
କରିଛନ୍ତି । ଏହି ବିଲ୍‍ଟି ଲୋକସଭାରେ ଗତମାସ ୨୮ ତାରିଖରେ ଏବଂ ରାଜ୍ୟସଭାରେ ଗତ ୪ ତାରିଖରେ ଗୃହୀତ ହୋଇଛି ।

Comments are closed.