‘କିଛି ନେତାଙ୍କ ଅହେତୁକ ପ୍ରତିକ୍ରିୟା ଓ ହିଂସାକୁ ପ୍ରୋତ୍ସାହନ ଆଞ୍ଚଳିକ ଶାନ୍ତିର ପରିପନ୍ଥୀ’

ଟ୍ରମ୍ପଙ୍କ ସହ ଫୋନ୍‌ରେ ଅଧ ଘଣ୍ଟା କଥାହେଲେ ମୋଦୀ

ନୂଆଦିଲ୍ଲୀ : କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ଅନୁଷ୍ଠିତ ହୋଇଛି। ବିଶେଷ କରି କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯେମିତି ଉତ୍ତେଜନା ହ୍ରାସ ପାଇବ ସେଥିପ୍ରତି ଧ୍ୟାନ ଦେବାକୁ ରବିବାର ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପରାମର୍ଶ ଦେବାର ଦିନକ ପରେ ମୋଦୀଙ୍କ ଟେଲିଫୋନ୍‌ ବାର୍ତ୍ତାଳାପ ବେଶ୍‌ ଗୁରୁତ୍ବ ବହନ କରୁଛି।
ସୋମବାର ସନ୍ଧ୍ୟାରେ ମୋଦୀ ଟେଲିଫୋନ୍‌ ଯୋଗେ ଟ୍ରମ୍ପଙ୍କ ସହିତ ପ୍ରାୟ ଅଧ ଘଣ୍ଟା କଥାବାର୍ତ୍ତା କରିଛନ୍ତି। ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲେ ମଧ୍ୟ ଏହି ଅବସରରେ ମୋଦୀ ଟ୍ରମ୍ପଙ୍କୁ କାଶ୍ମୀର ପ୍ରସଙ୍ଗରେ ଅବଗତ କରିଛନ୍ତି। ଏହି ଅବସରରେ ମୋଦୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପରୋକ୍ଷ ଭାବେ କଠୋର ସମାଲୋଚନା କରିଛନ୍ତି। ‘କିଛି ନେତାଙ୍କ ଅତ୍ୟଧିକ ଭାରତ ବିରୋଧୀ ପ୍ରତିକ୍ରିୟାଶୀଳତା ଓ ହିଂସାକୁ ପ୍ରୋତ୍ସାହନ ଦେଲା ଭଳି ଅନୁଚିତ ତଥା ଅନୈତିକ ପଦକ୍ଷେପ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠାର ପରିପନ୍ଥୀ’ ବୋଲି ଇମ୍ରାନଙ୍କୁ ଇଙ୍ଗିତ କରି ମୋଦୀ ଟ୍ରମ୍ପଙ୍କୁ କହିଛନ୍ତି। ମୋଦୀ ପାକିସ୍ତାନ ଚଳାଇଥିବା ସୀମାପାର୍‌ ଆତଙ୍କବାଦ ଓ କାଶ୍ମୀରରେ ହିଂସାକାଣ୍ଡକୁ ପ୍ରୋତ୍ସାହନ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଆତଙ୍କରହିତ ପରିବେଶ ସୃଷ୍ଟି ଉପରେ ଭାରତ ସର୍ବଦା ଗୁରୁତ୍ବ ଦେଇଆସିଛି। ଶାନ୍ତ ବାତାବରଣରେ ବିକାଶ ସମ୍ଭବ ଏବଂ ଏଭଳି ଚିନ୍ତାଧାରା ସମ୍ପନ୍ନ ଯେ କୌଣସି ରାଷ୍ଟ୍ର ସହିତ ଦାରିଦ୍ର୍ୟ ଓ ବ୍ୟାଧି ଦୂରୀକରଣ ଏବଂ ଶିକ୍ଷା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ପ୍ରତିବଦ୍ଧ ବୋଲି ମୋଦୀ କହିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହି ଅବସରରେ ମୋଦୀ ନିୟମିତ ତାଙ୍କ ସହିତ ଯୋଗାଯୋଗରେ ଥିବାରୁ ଟ୍ରମ୍ପ ତାଙ୍କୁ ପ୍ରଶଂସା କରିଥିବା ଜଣାଯାଇଛି।
ଏତଦ୍‌ବ୍ୟତୀତ ମୋଦୀ ଗତ ମାସରେ ଜାପାନର ଓସାକାଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ କଥା ସ୍ମରଣ କରାଇ ଟ୍ରମ୍ପଙ୍କୁ ଦ୍ବିପାକ୍ଷିକ ବାଣିଜ୍ୟିକ ସମ୍ପର୍କର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତର ବାଣିଜ୍ୟ ମନ୍ତ୍ରୀ ଓ ଆମେରିକା ବାଣିଜ୍ୟିକ ପ୍ରତିନିଧିଙ୍କ ମଧ୍ୟରେ ଶୀଘ୍ର ଏ ନେଇ ଆଲୋଚନା ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ପୁନଶ୍ଚ ଆଫଗାନିସ୍ତାନର ୧୦୦ତମ ସ୍ବାଧୀନତା ଦିବସ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ସହ ଏହାର ସାମଗ୍ରିକ ବିକାଶ ଓ ସୁରକ୍ଷା ପ୍ରତି ଭାରତ ସର୍ବଦା ଯତ୍ନବାନ ବୋଲି ଟ୍ରମ୍ପଙ୍କୁ ମୋଦୀ ଅବଗତ କରିଥିଲେ। ଏକ ସୁସଂହତ, ଗଣତାନ୍ତ୍ରିକ ଓ ବାସ୍ତବିକ ସ୍ବାଧୀନ ଆଫଗାନିସ୍ତାନ ଗଠନ ଭାରତ ଚାହେଁ ବୋଲି ସେ କହିଥିଲେ।

Comments are closed.