ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତାକାଲି (ରବିବାର) ଯାତ୍ରା କରିବେ । ଇଷ୍ଟର ରବିବାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ପିଡ଼ୀତମାନଙ୍କ ପ୍ରତି ସମର୍ଥନ ଜଣାଇବା ତଥା ପଡ଼ୋଶୀ ପ୍ରଥମ ନୀତି ପ୍ରତି ପୁନଃ ପ୍ରତିବଦ୍ଧତା ପ୍ରଦର୍ଶନ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୂଳ ଲକ୍ଷ୍ୟ । ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‍ ଡୋଭାଲ୍‍ ଓ ବିଦେଶ ସଚିବ ବିଜୟ ଗୋଖଲେଙ୍କ ସମେତ ବହୁ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଗସ୍ତରେ ଯାଉଛନ୍ତି ।

୪୫ ଜଣ ବିଦେଶୀ ନାଗରିକଙ୍କ ସମେତ ୨୫୮ ଜଣ ଲୋକ ନିହତ ହୋଇଥିବା ଇଷ୍ଟର ଆକ୍ରମଣ ସ୍ଥଳୀକୁ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିବାର ଆଶା କରାଯାଉଛି । ଆସନ୍ତାକାଲି ଅପରାହ୍ଣରେ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ  ଶ୍ରୀଲଙ୍କାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀଲଙ୍କାର ନେତୃବୃନ୍ଦଙ୍କ ସହିତ ହେବାକୁ ଥିବା ଆଲୋଚନା, ଭାରତ ମହାସାଗର ଅଞ୍ଚଳରେ ସହଯୋଗ, ଆର୍ଥିକ ଏବଂ ବିକାଶମୂଳକ
ସହାୟତା ତଥା ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଆଦି ପ୍ରସଙ୍ଗ ଉପରେ କେନ୍ଦ୍ରୀତ ହେବ। ଶ୍ରୀ ମୋଦି ତାଙ୍କର ପ୍ରଥମ
ଶାସନକାଳରେ ଶ୍ରୀଲଙ୍କାକୁ ଦୁଇଥର ଗସ୍ତ କରି ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଘନିଷ୍ଠ ଆର୍ଥିକ ଓ ନୀତିଗତ ସହଯୋଗ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି।

Comments are closed.