ଆଫଗାନ ପରିସ୍ଥିତି ଭାରତକୁ ପ୍ରଭାବିତ କରୁଛି – ମୋଦୀ

ଏସ୍‌ସିଓ ବୈଠକରେ ମୋଦୀଙ୍କ ଉଦ୍‌ବୋଧନ – ଆଞ୍ଚଳିକ ସୁରକ୍ଷା ଲାଗି ମୌଳବାଦର ଦମନ ଜରୁରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଏଠାରେ ଦେଖାଯାଇଥିବା ଆର୍ଥିକ ଓ ମାନବାଧିକାର ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି ଯେ ଆଫଗାନିସ୍ତାନରେ ଘଟୁଥିବା ଘଟଣା ସମୂହ ଦ୍ବାରା ଭାରତ ବିଶେଷ ଭାବେ ପ୍ରଭାବିତ ହେଉଛି। ସାଙ୍ଘାଇ ସମନ୍ବୟ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ମୋଦୀ ଆଫଗାନିସ୍ତାନର ସମସ୍ୟାକୁ ନେଇ ଏପରି ଉଦ୍‌ବେଗ ପ୍ରକାଶ କରିବା ସହିତ ଏହାର ସମାଧାନ ପାଇଁ ଉପାୟ ବତାଇଛନ୍ତି। ମୋଦୀ କହିଛନ୍ତି ଯେ ମୌଳବାଦ ହିଁ ବର୍ତ୍ତମାନ ସମୟରେ ବିଶ୍ବ ଶାନ୍ତି ଓ ସୁରକ୍ଷା ପାଇଁ ବଡ ଆହ୍ବାନ।

ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ଆଗାମୀ ଦିନରେ ମୌଳବାଦକୁ ପ୍ରୋତ୍ସାହନ ଦେବ। ଯାହା ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି ବଡ ବିପଦ ସୃଷ୍ଟି କରିବ। ତେଣୁ ଆଫଗାନିସ୍ତାନରେ ମୌଳବାଦକୁ ନିୟନ୍ତ୍ରଣ ଦ୍ବାରା ଏଠାରେ ସ୍ଥିରତା ଓ ଶାନ୍ତି ଆସିପାରିବ। ଏଠାରେ ମୌଳବାଦକୁ ମୁଣ୍ଡ ଟେକିବା ଲାଗି ଆନ୍ତର୍ଜାତିକ ସମୁଦାୟ କୌଣସି ପ୍ରକାରେ ଅନୁମତି ଦେବା ଉଚିତ୍ ନୁହେଁ। ମୌଳବାଦ ମୁଣ୍ଡ ଟେକିଲେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବ। ବିଶ୍ବସମୁଦାୟ ଏପରି ବ୍ୟବସ୍ଥା ଆପଣାଇବା ଦରକାର ଯଦ୍ଦ୍ବାରା ଆଫଗାନିସ୍ତାନର ମାଟି ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାର ହେବ ନାହିଁ। ଏସସିଓ ମଧ୍ୟ ଏ ଦିଗରେ କାର୍ଯ୍ୟକରିବା ଦରକାର। ଅନ୍ୟଥା ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଦ୍ବାରା ସମଗ୍ର ଦକ୍ଷିଣ ଏସିଆର ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି ହେବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଫଗାନିସ୍ତାନରେ ବର୍ତ୍ତମାନ ଯେଉଁ ତାଲିବାନ ସରକାର ଗଠନ ହୋଇଛି ତାହା ଏକ ସମଷ୍ଟିଗତ (ଇନକ୍ଲସିଭ୍) ସରକାର ନୁହେଁ। ଏହି ସରକାରରେ ମହିଳା, ସଂଖ୍ୟାଲଘୁ, ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପ୍ରତିନିଧିତ୍ବ ନାହିଁ। ବିନା କୌଣସି ବିଚାରବିମର୍ଶରେ ଏହି ସରକାର ଗଠନ କରାଯାଇଛି। ଆଫଗାନିସ୍ତାନରେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଅନିୟନ୍ତ୍ରିତ ମାଦକଦ୍ରବ୍ୟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଓ ମାନବଚାଲାଣକୁ ପ୍ରୋତ୍ସାହିତ କରିବ। ତେଣୁ ଆଫଗାନିସ୍ତାନର ଏହି ନୂଆ ସରକାରକୁ ଅନୁମୋଦନ କରିବା ପୂର୍ବରୁ ବିଶ୍ବ ସମୁଦାୟ ଗଭୀର ଚିନ୍ତା କରିବା ଦରକାର। ଉପଯୁକ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଶ୍ବ ସମୁଦାୟ ସମ୍ମିଳିତ ନିଷ୍ପତ୍ତିକ୍ରମେ ଏହି ସରକାରକୁ ଅନୁମୋଦନ କରିବା ଉଚିତ୍।

ମୋଦୀ କହିଛନ୍ତି ଯେ ଆଫଗାନିସ୍ତାନରେ ଏବେ ବହୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଏହିସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀ ସଂଗଠନ ହାତରେ ପଡିଲେ ତାହା ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବ। ବିଶ୍ବର ସମସ୍ତ ରାଷ୍ଟ୍ର ଆତଙ୍କବାଦର ଶିକାର ହୋଇସାରିଛନ୍ତି। ତେଣୁ ଆଫଗାନିସ୍ତାନ ଯେପରି ଆତଙ୍କବାଦୀ ଚରାଭୂଇଁ ନ ହେବ ସେ ଦିଗରେ ସମସ୍ତେ ସମ୍ମିଳିତ ପଦକ୍ଷେପ ନେବା ଜରୁରୀ। ଏ ଦିଗରେ ଏସସିଓର ସଦସ୍ୟ ରାଷ୍ଟ୍ର କଠୋର ନିୟମ ଆଣିବା ଦରକାର। ମୋଦୀ କହିଛନ୍ତି ଯେ ଆଫଗାନିସ୍ତାନ ପ୍ରସଙ୍ଗରେ ଜାତିସଂଘ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏସସିଓ ଗଠନର ୨୦ବର୍ଷ ପୂର୍ତ୍ତି ଅବସରରେ ଏହା ନିଜର ଭବିଷ୍ୟତ ବାବଦରେ ଚିନ୍ତା କରିବା ଦରକାର। ଏସସିଓ ଓ ମିଳିତ ସୁରକ୍ଷା ଚୁକ୍ତି ସଂଗଠନ (ଏସସିଟିଓ)ର ସମ୍ମିଳନୀ ତାଜିକସ୍ତାନର ରାଜଧାନୀ ଦୁସାନ୍‌ବେରେ ଆରମ୍ଭ ହୋଇଛି। ଏହା ଉଭୟ ପ୍ରତ୍ୟକ୍ଷ ଓ ଆଭାସି ମାଧ୍ୟମରେ ଚାଲିଛି। କେତେକ ନେତା ବୈଠକରେ ପ୍ରତ୍ୟକ୍ଷ ଯୋଗ ଦେଇଥିବାବେଳେ ଆଉ କେତେକ ଆଭାସି ମାଧ୍ୟମରେ ଯୋଗ ଦେଇଛନ୍ତି। ଏସସିଓର ସଦସ୍ୟ ରାଷ୍ଟ୍ରଗୁଡିକ ହେଲେ ଭାରତ, ଚୀନ, ରୁଷ୍, କାଜାକସ୍ତାନ, କିର୍ଗିଜସ୍ତାନ, ତାଜିକସ୍ତାନ, ଉଜ୍‌ବେକିସ୍ତାନ ଓ ପାକିସ୍ତାନ।

Comments are closed.