କୋଭିଡ୍‍-୧୯ର ନିୟନ୍ତ୍ରଣ ପାଇଁ ସମ୍ମିଳିତ ଓ ସମନ୍ୱିତ ଉଦ୍ୟମ ଆବଶ୍ୟକ : ମୋଦୀ

ନୂଆଦିଲ୍ଲୀ : କୋଭିଡ୍‍-୧୯ର ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ସକାଶେ ବିଭିନ୍ନ ସଂସ୍ଥା ସମନ୍ୱୟର ସହିତ ଅନେକଗୁଡ଼ିଏ ସ୍ତରରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଜନସାଧାରଣ କିଭଳି ସୁସ୍ଥ ରହିପାରିବେ ସେଥିପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ମୋଦୀ ସୋମବାର ଅନେକଗୁଡ଼ିଏ ଟ୍ୱିଟରେ କହିଛନ୍ତି। ଡାକ୍ତର, ସେବିକା ଓ ସ୍ୱାସ୍ଥ୍ୟ କର୍ମୀମାନେ କୋଭିଡ୍‍-୧୯ ବିରୁଦ୍ଧରେ ଲଢ଼େଇ ପାଇଁ ସବୁମତେ ଉଦ୍ୟମ ଚଳାଇଛନ୍ତି ଏବଂ ସେମାନଙ୍କର ଏହି ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।

ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ଯେଉଁମାନଙ୍କଠାରେ ଏହି ରୋଗର ଲକ୍ଷଣ ପରିଲକ୍ଷିତ ହେଉଛି ସେମାନେ ଯେପରି ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିବେ ସେଥିପାଇଁ ସରକାର ସବୁବେଳେ ତତ୍ପର ଓ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରତିଟି ନାଗରିକ ଏଭଳି ପରିସ୍ଥିତିରେ ଏକଜୁଟ୍‍ ହୋଇ ଯେପରି ଏହି ରୋଗ ବିରୁଦ୍ଧରେ ସଂଗ୍ରାମ ଚଳାଇଛନ୍ତି ତାହା ରାଷ୍ଟ୍ରବାଦର ଦୃଢ଼ ଭାବନାକୁ ପ୍ରତିଫଳିତ କରୁଛି। ଅନାବଶ୍ୟକ ଯାତ୍ରାରୁ ବିରତ ରହିବା ଏବଂ ସାମାଜିକ ସମାବେଶକୁ ସୀମିତ କରିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.