ଭାରତ – ଶ୍ରୀଲଙ୍କା ଶିଖର ବୈଠକ, ବୌଦ୍ଧଧର୍ମୀୟ ସହଯୋଗ ବୃଦ୍ଧି ପାଇଁ ୧୫ ନିୟୁତ ଡଲାର ସହାୟତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବୌଦ୍ଧଧର୍ମୀୟ ସହଯୋଗ ବୃଦ୍ଧି ପାଇଁ ଶ୍ରୀଲଙ୍କାକୁ ୧୫ ନିୟୁତ ଡଲାର ସହାୟତା ଦେବାକୁ ଘୋଷଣା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ଭାରତ ମହାସାଗରିୟ ଅଞ୍ଚଳ ସଂକ୍ରାନ୍ତ ଯୁଗ୍ମ ସଚିବ ଅମିତ ନାରଙ୍ଗ କହିଛନ୍ତି, ଏହି ଅନୁଦାନ ଦୁଇଦେଶ ମଧ୍ୟରେ ଲୋକ ସମ୍ପର୍କକୁ ଆହୁରି ନିବିଡ଼ କରିବ ଓ ବୌଦ୍ଧ ଧର୍ମର ବିକାଶରେ ସହାୟତା କରିବ।

ପ୍ରଧାନମନ୍ତ୍ରୀ ମୋଦୀ ଓ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ମଧ୍ୟରେ ଆଜି ପ୍ରଥମ ଅନ୍‍ଲାଇନ୍‍ କଥାବାର୍ତ୍ତା ହୋଇଛି। ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ପବିତ୍ର ସହର କୁଶିନଗରକୁ ପ୍ରଥମ ଉଦ୍‍ଘାଟନୀ ବିମାନରେ ଶ୍ରୀଲଙ୍କାର ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ଯାତ୍ରା କରିବାକୁ ସୁଯୋଗ ଦେବା ଲାଗି ଉଭୟ ନେତା ଏକମତ ହୋଇଛନ୍ତି। ଏହି କିଛି ଦିନ ପୂର୍ବେ କୁଶିନଗର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିଣତ କରାଯାଇଛି। ବୌଦ୍ଧ ଧର୍ମକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଆର୍ୟୁବେଦ ଓ ଯୋଗ କ୍ଷେତ୍ରରେ ଥିବା ସୁଯୋଗଗୁଡ଼ିକର ମଧ୍ୟ ଉପଯୋଗ କରିବା ପାଇଁ ଦୁଇ ନେତା ଏକମତ ହୋଇଛନ୍ତି। ରାଜପକ୍ଷେ ଭାରତ ସହାୟତାରେ ନିର୍ମିତ ହୋଇଥିବା ଜାଫ୍‍ନା ସାଂସ୍କୃତିକ କେନ୍ଦ୍ର ପ୍ରକଳ୍ପ ବିଷୟରେ କହିଛନ୍ତି। ଏହି ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ଏହାକୁ ଉଦ୍‍ଘାଟନ କରିବା ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି।

ଚଳିତ ବର୍ଷଠାରୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ High Impact କମୁନିଟି Development Project ଗୁଡ଼ିକ ପାଇଁ ଏମଓୟୁକୁ ସମ୍ପ୍ରସାରଣ କରିବାକୁ ଉଭୟ ଦେଶ ଏକ ବୁଝାମଣାରେ ଉପନିତ ହୋଇଛନ୍ତି। ଭାରତ ଦ୍ୱାରା ଗୃହ ନିର୍ମାଣ ପ୍ରକଳ୍ପକୁ ସଫଳତାର ସହ ଜାରି ରଖିବାକୁ ମଧ୍ୟ ଉଭୟ ନେତା ରାଜି ହୋଇଛନ୍ତି ଓ ୧୦ ହଜାର ବାସଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଯୁଗ୍ମ ସଚିବ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଅତ୍ୟନ୍ତ ସୌହାର୍ଦ୍ଦ୍ୟ ଓ ବନ୍ଧୁତପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଛି। ଏହି କଥାବାର୍ତ୍ତା ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

କରୋନା ଯୋଗୁଁ ଉଭୟ ନେତା ଅର୍ଥନୈତିକ କ୍ଷେତ୍ର ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କାର ତାମିଲମାନଙ୍କର କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀଲଙ୍କା ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ ସମ୍ପ୍ରଦାୟର ଲୋକମାନଙ୍କୁ ସମାନତା ଓ ନ୍ୟାୟ ପ୍ରଦାନ ସମେତ ଯେପରି ଶାନ୍ତି ଓ ସମ୍ମାନର ସହ ସେମାନେ ଜୀବନଯାପନ କରିପାରିବେ ତାହା ନିଶ୍ଚିତ କରିବାକୁ ମୋଦୀ କହିଛନ୍ତି। ଶ୍ରୀଲଙ୍କାରେ ଶାନ୍ତି ପ୍ରକ୍ରିୟାକୁ ଆଗେଇ ନେବା ଓ ବିବାଦର ସମାଧାନ କରିବା ପାଇଁ ସେଠାକାର ସମ୍ବିଧାନରେ ଅଣାଯାଇଥିବା ତ୍ରୟୋଦଶ ସଂଶୋଧନର କାର୍ଯ୍ୟକାରିତା ପ୍ରତି ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

ଭାରତର ପଡ଼ୋଶୀ ଦେଶ ପ୍ରଥମ ଓ ସାଗର ନୀତିରେ ଶ୍ରୀଲଙ୍କାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଏହି ଶିଖର ବୈଠକ ଉଭୟ ନେତାଙ୍କୁ ସେମାନଙ୍କ ମଧ୍ୟରେ ସଂପର୍କର ସମୀକ୍ଷା କରିବାକୁ ସୁଯୋଗ ପ୍ରଦାନ କରିଛି।

Comments are closed.