କୋଭିଡ-୧୯ ସତ୍ତ୍ବେ ୨୦୨୪ ସୁଦ୍ଧା ୫ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବ ଭାରତ : ମୋଦୀ

ନୂଆଦିଲ୍ଲୀ : କୋଭିଡ-୧୯ ସତ୍ତ୍ବେ ୨୦୨୪ ସୁଦ୍ଧା ଭାରତ ୫ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକଟ କରିଛନ୍ତି। ଏକ ଦୈନିକ ସମ୍ବାଦପତ୍ରକୁ ଦେଇଥିବା ସାକ୍ଷାତକାରରେ ଶ୍ରୀ ମୋଦୀ କହିଛନ୍ତି, ସରକାର, ସାମୂହିକ ଅର୍ଥନୈତିକ ସ୍ଥିରତା ପ୍ରତି କୌଣସି ଆଞ୍ଚ ନ ଆଣି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଠିକ୍‍ ସମୟରେ ପଦକ୍ଷେପମାନ ଗ୍ରହଣ କରିବେ। ସେ କହିଛନ୍ତି, ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ଏନ୍‍ଡିଏ ସରକାରଙ୍କର ରେକର୍ଡ ରହିଛି।

ସେ କହିଛନ୍ତି, ସରକାର ସମୟ ପୂର୍ବରୁ ଗ୍ରାମାଞ୍ଚଳ ପରିମଳ ଓ ଗ୍ରାମାଞ୍ଚଳର ବିଦ୍ୟୁତକରଣ ଲକ୍ଷ୍ୟ ହାସଲ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ୮
କୋଟି ଲୋକଙ୍କୁ ଉଜ୍ଜ୍ୱଳା ସଂଯୋଗ ଯୋଗାଇ ଦିଆଯାଇଛି। କୋଭିଡ ସଂକ୍ରମଣ ଯୋଗୁଁ ଦେଶର ୧୩୦ କୋଟି ଲୋକ କୌଣସି ନା କୌଣସି ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାର ମୁକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ଏହା ଯୋଗୁଁ ଯେଉଁ ଅର୍ଥନୈତିକ କ୍ଷତି ଘଟିଛି, ତାହାର ଭରଣା ପାଇଁ ଆଗାମୀ ବର୍ଷଗୁଡ଼ିକରେ କଠୋର ପରିଶ୍ରମ କରିବାକୁ ପଡିବ।
କୋଭିଡ୍‍-୧୯ର ମୁକାବିଲା ପାଇଁ ଭାରତ ବିଜ୍ଞାନ ସମ୍ମତ ଆଭିମୁଖ୍ୟ ଗ୍ରହଣ କରିଆସୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ସ୍ତରରେ ଦ୍ରୁତ ପଦକ୍ଷେପ ଗ୍ରହଣ ଯୋଗୁଁ ସଂକ୍ରମଣକୁ ରୋକିବାରେ ସରକାର ସମର୍ଥ ହୋଇଛନ୍ତି। ଫଳ ସ୍ୱରୂପ, ଭାରତ କୋଭିଡରେ କମ୍‍ ଲୋକଙ୍କ ମୃତ୍ୟୁ ଘଟୁଥିବା ଦେଶଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ସେ କହିଛନ୍ତି, ଦେଶରେ କୋଭିଡ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

Comments are closed.