ଏକ ସୁଦୃଢ ଓ ଐକ୍ୟବଦ୍ଧ ଭାରତ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ : ମୋଦୀ

ମୁମ୍ବଇ/ ଚଣ୍ଡିଗଡ : ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଦୁଇଟିଯାକ ରାଜ୍ୟରେ ସରଗରମ ପ୍ରଚାର ଚଳାଇଛନ୍ତି। ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅନେକ ଗୁଡିଏ ନିର୍ବାଚନ ସଭାରେ ଉଦବୋଧନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ପାର୍ଲିଠାରେ ଏକ ନିର୍ବାଚନ ସଭାରେ କହିଛନ୍ତି, ଇତିହାସରେ ଯେତେବେଳେ ଧାରା ୩୭୦ ବିଷୟରେ ଆଲୋଚନା ହେବ ସେତେବେଳେ ସରକାର ଦେଶର ସ୍ୱାର୍ଥ ପାଇଁ ନେଇଥିବା ନିଷ୍ପତ୍ତି ଏବଂ ଏହାକୁ ବିରୋଧ କରୁଥିବା ଓ ପରିହାସ କରୁଥିବା ଦଳ ଏବଂ ସେମାନଙ୍କ ମନ୍ତବ୍ୟକୁ ଲୋକମାନେ ସ୍ମରଣ କରିବେ। ପରେ ସତାରାଠାରେ ଏକ ର‍୍ୟାଲିରେ ଉଦବୋଧନ ଦେଇ
ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ରରେ ବିଜେପି ନେତୃତ୍ୱର ସରକାର ଓ ରାଜ୍ୟର ବିଜେପି ସରକାର ଏକ ଶକ୍ତିଶାଳୀ ତଥା ଐକ୍ୟବଦ୍ଧ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ସରକାର ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ସତାରାଠାରେ ଆଉ ଏକ ସଭାରେ ଧାରା ୩୭୦, ମରାଠା ସଂରକ୍ଷଣ, କୃଷକମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ
ଯୋଜନା, ଆଖୁ ଚାଷୀମାନଙ୍କର ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଓ ବିଜେପି-ଶିବସେନା ମେଣ୍ଟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ। ସେହିପରି ଶ୍ରୀ ମୋଦୀ ପୁଣେଠାରେ ମଧ୍ୟ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇଛନ୍ତି।
କଂଗ୍ରେସ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ନାନ୍ଦେଡ୍‍ ଜିଲ୍ଲାର ଭୋକରଠାରେ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଅଶୋକ ଚୌହାନଙ୍କ ପାଇଁ ସେ ପ୍ରଚାର କରିଛନ୍ତି। ନାନ୍ଦେଡ୍‍ଠାରେ ସେ କଂଗ୍ରେସ ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ମଧ୍ୟ ନିର୍ବାଚନ ପ୍ରଚାର କରିଛନ୍ତି। ବରାଦଠାରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟ ସରକାର ଭୋଟରମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଆସୁଛନ୍ତି ଓ କ୍ଷମତାକୁ ଆସିବା ପରେ ସମସ୍ତ ପ୍ରତିଶ୍ରୁତି ଭୁଲିଯାଇଛନ୍ତି।

ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ହରିଆଣାର ବୱାନି ଖେଡ଼ା, ତୋସମ୍‍ ଓ ମହେନ୍ଦ୍ରଗଡ଼ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ
ର‍୍ୟାଲିଗୁଡ଼ିକରେ ଉଦବୋଧନ ଦେଇ କଂଗ୍ରେସ କାଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତୀୟକରଣ କରୁଥିବା ଦୋଷାରୋପ କରିଛନ୍ତି। ବୱାନି
ଖେଡ଼ାଠାରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, କଂଗ୍ରେସ ନେତାମାନେ କିଛି ଦିନ ପୂର୍ବେ ଲଣ୍ଡନରେ ବ୍ରିଟେନ୍‍ ଲେବରପାର୍ଟି ନେତା ଜେରେମି କର୍ଭିଙ୍କୁ ସାକ୍ଷାତ କରି କାଶ୍ମୀରରେ ମାନବାଧିକାର ଲଙ୍ଘନ ହେଉଥିବା କହିଥିଲେ। ସେ କହିଛନ୍ତି, କାଶ୍ମୀର ପ୍ରସଙ୍ଗ ଭାରତର ଏକ ଆଭ୍ୟନ୍ତରୀଣ ବ୍ୟାପାର। ଦୁଇଟିଯାକ ରାଜ୍ୟରେ ଆସନ୍ତା ୨୧ ତାରିଖରେ ମତଦାନ ହେବ ଓ ୨୪ ତାରିଖ ଦିନ ଭୋଟଗଣତି କରାଯିବ।

Comments are closed.