ଖୁବ ଶୀଘ୍ର ସାମ୍ନାକୁ ଆସିବେ ମୁମ୍ବଇ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ : ମୋଦୀ

ମୁମ୍ବଇ : ୧୯୯୩ ମୁମ୍ବଇ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀମାନଙ୍କୁ ଯେଉଁମାନେ ସାହାଯ୍ୟ କରିଥିଲେ ଓ ଦେଶ ଛାଡ଼ି ପାକିସ୍ତାନରେ ଆଶ୍ରୟ ନେଇଛନ୍ତି, ଖୁବ୍‍ଶୀଘ୍ର ସେମାନଙ୍କ ସଂପର୍କରେ ପର୍ଦ୍ଦାଫାସ ହେବ ଓ ସେମାନେ ଲୋକଙ୍କ ସାମ୍ନାକୁ ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନବୀମୁମ୍ବାଇର ଖରଘରଠାରେ ଏକ ନିର୍ବାଚନ ର‍୍ୟାଲିରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି । ମୁମ୍ବାଇ ବିସ୍ଫୋରଣ ସହ ଯେଉଁମାନେ ସଂପୃକ୍ତ, ସେମାନଙ୍କୁ ଦେଶରୁ ଖସି ପଳାଇବାକୁ କେଉଁମାନେ ସାହାଯ୍ୟ କରିଥିଲେ ଓ ସେମାନଙ୍କ ସହ ସେମାନଙ୍କର କ’ଣ ସଂପର୍କ ଥିଲା, ସେ ସଂକ୍ରାନ୍ତରେ ଏବେ ଲୋକମାନେ ପ୍ରଶ୍ନ କରୁଛନ୍ତି । ଦାଉଦ୍‍ ଇବ୍ରାହିମ୍‍, ଟାଇଗର ମେମନ୍‍ ଓ ଅନ୍ୟ ମୁଖ୍ୟ ଅଭିଯୁକ୍ତମାନେ ମୁମ୍ବଇ ବିସ୍ଫୋରଣ ପରେ ପରେ ପାକିସ୍ତାନକୁ ଖସି ପଳାଇଥିଲେ।

ସେତେବେଳେ ତତ୍କାଳୀନ ବିରୋଧୀଦଳମାନେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରଙ୍କୁ ଏଥିପାଇଁ ଦୋଷାରୋପ କରିଥିଲେ। କିନ୍ତୁ ଶ୍ରୀ ପାୱାର ଓ ତାଙ୍କର ସହଯୋଗୀମାନେ ଏହାକୁ ଅଗ୍ରାହ୍ୟ କରିଥିଲେ ବୋଲି ସେ କହିଛନ୍ତି । ଶ୍ରୀ ମୋଦି କହିଛନ୍ତି, ସେହିଭଳି ବ୍ୟକ୍ତିମାନେ ଭୟଭୀତ ହୋଇପଡ଼ିଛନ୍ତି ଓ ଅପ୍ରାସଙ୍ଗିକ ବିଷୟମାନ ଉତ୍ଥାପନ କରି ଅନ୍ୟତ୍ର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଚେଷ୍ଟା କରୁଛନ୍ତି । କିନ୍ତୁ ଲୋକମାନେ ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କଠାରୁ ଉତ୍ତର ଚାହୁଁଛନ୍ତି ବୋଲି ମୋଦୀ କହିଛନ୍ତି।

Comments are closed.