କୋଭିଡ ଟିକା ବିତରଣ ଏବଂ ବଣ୍ଟନ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ -୧୯ ଟିକା ବିତରଣ ଓ ବଣ୍ଟନ ଏବଂ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଟିକା ବିକଶିତ କରିବା ପାଇଁ ଉଦ୍ଭାବକ, ବୈଜ୍ଞାନିକ ଏବଂ ଫାର୍ମା-କମ୍ପାନୀଗୁଡିକର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ଟିକା ଗବେଷଣା, ବିକାଶ ଏବଂ ଉତ୍ପାଦନକୁ ସୁଗମ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ଉଚିତ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ୫ଟି ଟିକା ବିକାଶର ଉନ୍ନୀତ ପର୍ଯ୍ୟାୟରେ ଅଛି। ସେଥିମଧ୍ୟରୁ ୪ଟି ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟଟି ପ୍ରଥମ ପର୍ଯ୍ୟାୟରେ ରହିଛି। ବାଂଲାଦେଶ, ମିଆଁମାର, କତାର, ଭୁଟାନ, ସ୍ୱିଜରଲ୍ୟାଣ୍ଡ, ବାହାରିନ, ଅଷ୍ଟ୍ରିଆ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଭାରତୀୟ ଟିକାର ବିକାଶ ଏବଂ ଏହାର ବ୍ୟବହାର ପାଇଁ ଭାଗିଦାରୀ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଟିକା ଦେବା ପ୍ରକ୍ରିୟାକୁ ସୁସଂହତ କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଆଗଧାଡିର କର୍ମଚାରୀଙ୍କ ଡାଟାବେସ୍ ପ୍ରସ୍ତୁତି ସହ ଏହାର ସଂରକ୍ଷଣ ବ୍ୟବସ୍ଥା ତଥା ସିରିଞ୍ଜ ଓ ଛୁଞ୍ଚି ଇତ୍ୟାଦି ମହଜୁଦ ରଖିବା ପ୍ରକ୍ରିୟା ଜୋରଦାର କରାଯାଉଛି। ଟୀକାକରଣ ଯୋଗାଣ ଶୃଙ୍ଖଳାକୁ ବୃଦ୍ଧି କରାଯାଉଛି। ଏଥିପାଇଁ ତାଲିମ କାର୍ଯ୍ୟ ଖୁବ ଶୀଘ୍ର କରାଯିବ ବୋଲି ଜଣାପଡିଛି। ପ୍ରାଥମିକତା ନୀତି ଅନୁଯାୟୀ ଟିକା ପ୍ରତ୍ୟେକ ସ୍ଥାନ ଏବଂ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିବାକୁ ପ୍ରତ୍ୟେକ ପଦକ୍ଷେପ ନିଆଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁସନ୍ଧାନ ଏବଂ ଉତ୍ପାଦନରେ ସର୍ବୋଚ୍ଚ ବିଶ୍ଵସ୍ଥରୀୟ ମାନ ନିଶ୍ଚିତ କରିବାକୁ ସମସ୍ତ ଖ୍ୟାତିସମ୍ପନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ଅନୁଷ୍ଠାନ ଏବଂ ନିୟାମକଙ୍କ ସହଯୋଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଔଷଧ ଉତ୍ପାଦନ ଏବଂ କ୍ରୟ ସମ୍ପର୍କରେ ସମୀକ୍ଷା କରିଥିଲେ। କୋଭିଡ -୧୯ ଟୀକାକରଣର ଅନୁସନ୍ଧାନ ଏବଂ ବିକାଶ ପାଇଁ ସରକାର କୋଭିଡ ସୁରକ୍ଷା ମିଶନ ଅଧୀନରେ ୯୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୀକାକରଣ ପ୍ରକ୍ରିୟା ଶୀଘ୍ର ଆରମ୍ଭ ପାଇଁ ସମୟାନୁବର୍ତ୍ତୀ କ୍ରୟ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଟିକା ବିକାଶରେ ବ୍ୟାପକ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ ଜୋର ଦେଇଛନ୍ତି ଯେ କ୍ରମାଗତ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା, ଦୂରତା ବଜାୟ ରଖିବା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ଭଳି ପ୍ରତିଷେଧକ ବ୍ୟବସ୍ଥା ବଜାୟ ରଖିବାକୁ ପଡିବ।

ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ସଚିବ, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ), ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା, ସଚିବ ସ୍ୱାସ୍ଥ୍ୟ, ଆଇସିଏମଆର ମହାନିର୍ଦ୍ଦେଶକ, ପିଏମଓ ଅଧିକାରୀ ଏବଂ ଭାରତ ସରକାରଙ୍କ ସମ୍ବନ୍ଧୀୟ ବିଭାଗୀୟ ସଚିବମାନେ ଯୋଗ ଦେଇଥିଲେ।

Comments are closed.