୬ଟି ବିମାନବନ୍ଦର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଟି ବିମାନବନ୍ଦରର ପ୍ରସ୍ତୁତି କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ସକ୍ରିୟ କରିବା ଲାଗି ନିଆଯାଉଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହା ଜଣାପଡିଛି। ଏଥିରେ ଉଡାଣ ସମୟ ଓ ଖର୍ଚ୍ଚ କିପରି କମ କରାଯାଇ ପାରିବ ସେ ନେଇ ପ୍ରତିରକ୍ଷା ବ୍ୟାପାର ବିଭାଗ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏୟାରପୋର୍ଟମାନଙ୍କର ରାଜସ୍ୱ ତଥା କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଲାଗି ପିପିପି ମୋଡରେ ଆଉ ୬ଟି ଏୟାରପୋର୍ଟର ପ୍ରସ୍ତୁତି କାର୍ଯ୍ୟ ସମ୍ପାଦନ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ୩ ମାସ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ଲାଗି ମନ୍ତ୍ରଣାଳୟକୁ କୁହାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ଡିଜିସିଏ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ଡିଜିସିଏ କାର୍ୟ୍ୟାଳୟରେ ସ୍ଵଚ୍ଛତା ଆଣିବା ସହ ଏହାର ସମସ୍ତ ଅଂଶୀଦାରମାନଙ୍କର ବିଭିନ୍ନ ଲାଇସନ୍ସ ଅନୁମୋଦନ ସମୟକୁ ହ୍ରାସ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସମସ୍ତ ପଦକ୍ଷେପଗୁଡିକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ଗୃହ, ଅର୍ଥ, ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.