ଆମେ ଗାନ୍ଧିଜୀଙ୍କ କର୍ତ୍ତବ୍ୟ ପଥରେ ଆଗେଇ ଯିବା – ମୋଦୀ

- ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ସଦନର ଉଭୟ ଗୃହକୁ ଦେଇଥିବା ଅଭିଭାଷଣ ଉପରେ ଗୁରୁବାର ହୋଇଥିବା ଆଲୋଚନାର ଉତ୍ତର ରଖୁଛନ୍ତି। ପ୍ରଧାନମନ୍ତ୍ରୀ ଉତ୍ତର ରଖିବା ଅବସରରେ ରାଜ୍ୟସଭାର କିଛି ବରିଷ୍ଠ ସଦସ୍ୟଙ୍କୁ ଲକ୍ଷ୍ୟ କରି କହିଛନ୍ତି, ସେ ବରିଷ୍ଠ ସଦସ୍ୟମାନଙ୍କ ପ୍ରତ୍ୟେକ ଆଲୋଚନା ଏବଂ ପରାମର୍ଶକୁ ଉତ୍ତମ ଭାବରେ ବିଚାର କରନ୍ତି ଓ ସେ ସବୁର ଅସ୍ତିତ୍ବ କେତେ ପ୍ରଭାବୀ ସେ ବିଷୟରେ ମଧ୍ୟ ଚିନ୍ତା କରନ୍ତି।

ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ କରି କହିଥିଲେ:
“ପ୍ରକୃତି ବଦଲତି କ୍ଷଣ କ୍ଷଣ ଦେଖୋ, ବଦଲ ରହେ ଅଣୁ କଣ କଣ ଦେଖୋ
ତୁମ ନିଷ୍କ୍ରିୟ ସେ ପଡେ ହୁଏ ହୋ, ଭାଗ୍ୟବାଦ ପର ଅଡେ ହୁଏ ହୋ
ଛୋଡୋ ମିତ୍ର ପୁରାନି ଢପଲୀ, ଜୀବନ ମେଁ ପରିବର୍ତ୍ତନ ଲାଓ
ପରମ୍ପରାଓ ସେ ଉପର ଉଠକର କୁଛ ତୋ ଷ୍ଟାଣ୍ଡାର୍ଡ ବନାଓ”

ପ୍ରଧାନମନ୍ତ୍ରୀ ରାଜ୍ୟସଭାର ବରିଷ୍ଠ ସଦସ୍ୟ ଗୁଲାମନବୀ ଆଜାଦ କହିଥିବା କଥାର ଉତ୍ତର ରଖି କହିଛନ୍ତି ଯେ ଗୃହରେ କୌଣସି ଚର୍ଚ୍ଚା କରାନଯାଇ ଜାମ୍ମୁ କାଶ୍ମୀର ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାରା ଦେଶ ଦେଖିଛି, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଛେଦ ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା ଓ ଆଜାଦ ମଧ୍ୟ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ।

ମୋଦୀ କହିଛନ୍ତି, ନିରାଶ ହେବା ଭଳି ଭାବନା କେବେ ଦେଶର କୌଣସି ଉପକାର କରେ ନାହିଁ ତେଣୁ ୫ ଟ୍ରିଲିଅନ ଡଲାର ଅର୍ଥନୀତି ଆମ ପାଇଁ ସୁଖଦ ପରିଣାମ ଆଣିଛି ଏବଂ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନଙ୍କୁ ମଧ୍ୟ ଏବେ ୫ ଟ୍ରିଲିଅନ ଡଲାର ଅର୍ଥନୀତି ସମ୍ପର୍କରେ ଆଲୋଚନା କରିବାକୁ ପଡୁଛି। ସେ କହିଛନ୍ତି ଯେ ଏସବୁ ଆମ ମାନସିକତାରେ ପରିବର୍ତନ ଆଣିବାରେ ସହାୟକ ହୋଇଛି। ରାଜ୍ୟସଭାରେ ମଧ୍ୟ ଦେଶର ଅର୍ଥନୀତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି ତେଣୁ ନିରାଶ ହେବାର କୌଣସି କାରଣ ନାହିଁ। ଅର୍ଥ ବ୍ୟବସ୍ଥାର ଯେଉଁ ମୌଳିକ ମାନଦଣ୍ଡ ରହିଛି ତାହା ଆମ ଦେଶର ଅର୍ଥ ବ୍ୟବସ୍ଥାକୁ ଆଜି ମଧ୍ୟ ସଶକ୍ତ କରିଛି, ମଜବୁତ କରିଛି ତାହା ଉପରେ ନିର୍ଭର କରି ଦେଶ ଅଗ୍ରସର ହେବାର କ୍ଷମତା ରଖିଛି।

ସେ କହିଛନ୍ତି ୨୦୧୯ ଅଗଷ୍ଟ ୫ରେ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଏବଂ ତାହାକୁ ସମର୍ଥନ କରୁଥିବା ସମସ୍ତଙ୍କ ପାଇଁ ବ୍ଲାକ ଡେ ସାବ୍ୟସ୍ତ ହୋଇଛି। ଏବେ ଜାମ୍ମୁ କାଶ୍ମୀରରେ ପିଏମ ପ୍ୟାକେଜ ସମେତ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି ଓ ସେଗୁଡିକ ସଠିକ ଢଙ୍ଗରେ ଲାଗୁ ମଧ୍ୟ କରାଯାଇଛି। ଜାମ୍ମୁ କାଶ୍ମୀରରେ ପିଏମ ଆବାସ ଯୋଜନାରେ ୨୦୧୮ ପର୍ଯ୍ୟନ୍ତ ମାତ୍ର ୩ ହଜାର ୫ ଶହ ଗୃହ ନିର୍ମାଣ କରାଯାଇଥିବା ବେଳେ ଗତ ୨ ବର୍ଷରେ ୨୪ ହଜାରରୁ ଅଧିକ ଗୃହ ନିର୍ମାଣ କରାଯାଇ ପାରିଛି ବୋଲି ମୋଦୀ କହିଛନ୍ତି।

ମାତ୍ର ୧୮ ମାସ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଦେଢ଼ ଲକ୍ଷ ବୃଦ୍ଧବୃଦ୍ଧା ତଥା ଦିବ୍ୟାଙ୍ଗମାନଙ୍କୁ ପେନସନ ଯୋଜନାରେ ସାମିଲ କରାଯାଇଥିବା ରାଜ୍ୟସଭାରେ ମୋଦୀ କହିବା ସହ ୧୮ ମାସରେ ଅଢେଇ ଲକ୍ଷ ଶୌଚାଳୟ ନିର୍ମାଣ, ୩ ଲକ୍ଷ ୫୦ ହଜାର ଘରକୁ ବିଦ୍ୟୁତ ସଂଯୋଗ, ୩ ଲକ୍ଷ ୫୦ହଜାର ଲୋକଙ୍କୁ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଗୋଲଡ଼ କାର୍ଡ ପ୍ରଦାନ ତଥା ୪ ହଜାର ୪ ଶହ ସରପଂଚ ଓ ୩୫ ହଜାରରୁ ଅଧିକ ପଞ୍ଚ ପଦବୀ ପାଇଁ ନିର୍ବାଚନ କରାଯାଇଥିବା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଜମ୍ମୁକାଶ୍ମୀରରେ ପ୍ରଥମ ଥର ପାଇଁ ଆଣ୍ଟି କରପସନ ବ୍ୟୁରୋ ସ୍ଥାପନ କରାଯାଇଛି ଏବଂ ଆତଙ୍କବାଦୀମାନଙ୍କ ବିରୋଧରେ ଉଭୟ ପୁଲିସ ଓ ସେନା ମିଳିତ ଭାବେ କଠୋର ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି, ଦୀର୍ଘ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ଜମ୍ମୁକାଶ୍ମୀର ଓ ଲଦାଖ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେ ତେଲେଙ୍ଗାନା ରାଜ୍ୟ ଗଠନ ପ୍ରସଙ୍ଗ ସ୍ମରଣ କରି କହିଛନ୍ତି, ଏମିତି ବି ସମୟ ଥିଲା ଯେତେବେଳେ ଦୁଆର ବନ୍ଦ କରିଦିଆ ଯାଉଥିଲା, ଟିଭି ଚ୍ୟାନେଲ ବନ୍ଦ କରିଦିଆ ଯାଉଥିଲା କିନ୍ତୁ ସବୁ କିଛି ଆଗକୁ ବଢ଼ୁଥିଲା।

ପ୍ରଧାନମନ୍ତ୍ରୀ ଗୁଲାମନବୀ ଆଜାଦଙ୍କୁ ଲକ୍ଷ୍ୟ କରି କହିଛନ୍ତି, ଜମ୍ମୁକାଶ୍ମୀର ଉପରେ ନିଷ୍ପତ୍ତି ଗ୍ରହଣ ହେବା ଦିନ ରାଜ୍ୟସଭା ସାରା ଦିନ ଚର୍ଚ୍ଚା ହୋଇଥିଲା ଓ ସେସବୁ ଟିଭି ଚ୍ୟାନେଲଗୁଡିକ ମଧ୍ୟ ପ୍ରଦର୍ଶନ କରିଥିଲେ। ଦେଶବାସୀ ଦେଖିଥିଲେ ଯେ କିଭଳି ବିସ୍ତୃତ ଭାବେ ଚର୍ଚ୍ଚା ହେବା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ନାଗରିକତା ସଂଶୋଧନ ଆଇନ ଉପରେ ଗୃହରେ ଆଲୋଚନା ହୋଇଛି ଏବଂ ପରେ ସେ ନେଇ ଦେଶର ଅନେକ ସ୍ଥାନରେ ପ୍ରଦର୍ଶନ ନାଁରେ ହିଂସା ଏବଂ ଆନ୍ଦୋଳନ କରିବା ଏକ ପ୍ରକାର ଅଧିକାର ଭାବେ ବିବେଚନା କରାଯାଉଛି। ଦେଶବାସୀଙ୍କୁ ଭୁଲ ତଥ୍ୟ ଦେବା ଏବଂ ହିଂସା ସୃଷ୍ଟି କରିବା କଣ ଗ୍ରହଣୀୟ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ? ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ଅଭିଯାନରେ ପରିଣତ କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ମଧ୍ୟ ପ୍ରଶ୍ନ କରିଛନ୍ତି? ସେ କହିଛନ୍ତି ଯେ କିଛି ବିରୋଧୀ ସଦସ୍ୟ ଏବେ ବହୁତ ଉତ୍ସାହିତ ହେଉଛନ୍ତି କାରଣ ସେମାନେ ଚୁପ ଥିଲେ ଓ ଏବେ ହିଂସାର ସମର୍ଥନ କରୁଛନ୍ତି।

୨୦୦୩ରେ ଲୋକସଭାରେ ନାଗରିକତା ସଂଶୋଧନ ଆଇନକୁ ଯେଉଁ ସଂସଦୀୟ ସ୍ଥାୟୀ ସମିତି ଆଲୋଚନା କରିଥିଲେ ଯେଉଁ କମିଟିରେ କଂଗ୍ରେସର ଅନେକ ଜଣ ସଦସ୍ୟ ରହିଥିଲେ। ସେ କହିଛନ୍ତି, ଜାତୀୟ ଜନସଂଖ୍ୟା ରେଜିଷ୍ଟର ମଧ୍ୟ ଏକ ସାମାନ୍ୟ ପ୍ରକ୍ରିୟା ଯାହା ପୂର୍ବରୁ ଅନେକ ଥର କରାଯାଇଛି। ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଗାନ୍ଧିଜୀଙ୍କ କର୍ତ୍ତବ୍ୟ ପଥରେ ଆଗେଇ ଯିବା ଓ ଏକ ସମୃଦ୍ଧ, ସମର୍ଥ ଏବଂ ନୂଆ ଭାରତ ଗଠନରେ ବ୍ରତୀ ହେବା। ସେ କହିଛନ୍ତି –

ୟେ ନୟା ଭାରତ ଆଗେ ବଢ ଚଲା ହୈ I
ୟେ କର୍ତ୍ତବ୍ୟ ପଥ ପର ଚଲ ପଡ଼ା ହୈ I

Comments are closed.