ରୁଷ-ୟୁକ୍ରେନ ବିବାଦ ନେଇ ଭାରତର ଆଭିମୁଖ୍ୟ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି ଏବଂ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ପରିସ୍ଥିତି ମଧ୍ୟରେ କଥାବାର୍ତ୍ତା ଏବଂ କୂଟନୈତିକ ଆଲୋଚନା ସପକ୍ଷରେ ଭାରତର ଦୀର୍ଘ ଦିନର ଆଭିମୁଖ୍ୟକୁ ଦୋହରାଇଛନ୍ତି।

ୟୁକ୍ରେନରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ମୋଦୀ କୂଟନୈତିକ ଆଲୋଚନା ସପକ୍ଷରେ ଭାରତର ଦୀର୍ଘ ଦିନର ସ୍ଥିତିକୁ ଦୋହରାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ୨୦୨୧ ଡିସେମ୍ବରରେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟକାରିତାକୁ ଦୁଇ ନେତା ମଧ୍ୟ ସମୀକ୍ଷା କରିଛନ୍ତି।

ଉଭୟ ନେତା ଆନ୍ତର୍ଜାତୀୟ ଶକ୍ତି ଏବଂ ଖାଦ୍ୟ ବଜାରର ସ୍ଥିତି ସମେତ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଅଧିକ ଆଲୋଚନା କରିଥିଲେ। ବିଶ୍ୱ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ନିୟମିତ ପରାମର୍ଶ ଜାରି ରଖିବାକୁ ନେତାମାନେ ରାଜି ହୋଇଥିଲେ। ଫେବୃଆରୀ ୨୪ରେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ରୁଷ ଏବଂ ୟୁକ୍ରେନକୁ ଶତ୍ରୁତା ଆଚରଣ ବନ୍ଦ କରି ଶାନ୍ତି ସ୍ଥାପନ ନିମନ୍ତେ ନିବେଦନ କରିଆସୁଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ପରାମର୍ଶ ଦେଇଥିଲେ ଯେ ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରପତିଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ବିବାଦର ମୁକାବିଲା ପାଇଁ ଚାଲିଥିବା ଶାନ୍ତି ପ୍ରୟାସରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଥିଲେ ଏବଂ ଜାରି ରହିଥିବା ବିବାଦ ହେତୁ ଜୀବନ ଓ ସମ୍ପତ୍ତି ନଷ୍ଟ ହେବା ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ।

Comments are closed.