ମୋଦୀ ଶେଷ ଗୋଟିଚାଳନା କରିଛନ୍ତି: ଇମ୍ରାନ

ଇସଲାମାବାଦ: କାଶ୍ମୀର ପ୍ରସଙ୍ଗରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଶେଷ ଗୋଟି ଚାଳନା କରିଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏକ ଭୁଲ ପଦକ୍ଷେପ; ଏହା ପରେ ତାଙ୍କ ପାଖରେ ଆଉ କିଛି କାର୍ଡ ବା ଗୋଟି ଖେଳିବାକୁ ନାହିଁ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। କାଶ୍ମୀର ପାଇଁ ଏଠାରେ ଆୟୋଜିତ ଏକ ମାନବ ଶୃଙ୍ଖଳକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି ଯେ କାଶ୍ମୀରବାସୀ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଆଦୌ ଗ୍ରହଣ କରିବେ ନାହିଁ। କଟକଣା ପ୍ରତ୍ୟାହାର ପରେ ସେମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରିବାକୁ ରାସ୍ତାକୁ ଓହ୍ଲାଇବେ। ସେମାନେ ଆଦୌ ଏଥିପାଇଁ ଭୟ କରିବେ ନାହିଁ। ଆନ୍ତର୍ଜାତିକ ଗଣମାଧ୍ୟମ କାଶ୍ମୀରର ବାସ୍ତବତା ଉପଲବ୍ଧୀ କରୁ ନାହାନ୍ତି। ସେମା​‌ନେ ହଂକଂ ଉପରେ ଯେତିକି ଗୁରୁତ୍ବ ଦେଉଛନ୍ତି କାଶ୍ମୀର ପ୍ରତି ସେତିକି ଦେଉ ନାହାନ୍ତି। ଆନ୍ତର୍ଜାତିକ ଗଣମାଧ୍ୟମ ଅଯଥାରେ ହଂକଂରେ ଚାଲିଥିବା ବିକ୍ଷୋଭକୁ ପ୍ରଚାର କରୁଛନ୍ତି; କିନ୍ତୁ କାଶ୍ମୀରରେ ଘଟୁଥିବା ମାନବାଧିକାର ଉଲ୍ଲଙ୍ଘନ ପ୍ରତି ଅବହେଳା କରୁଛନ୍ତି ବୋଲି ଇମ୍ରାନ କହିଛନ୍ତି।

Comments are closed.