ବଜେଟ ପୂର୍ବରୁ ପ୍ରବୀଣ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ପ୍ରସ୍ତୁତ ହେବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶର ପ୍ରବୀଣ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ନୀତି ଆୟୋଗ ଠାରେ ଅନୁଷ୍ଠିତ ଏହି ପ୍ରାକ-ବଜେଟ ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ନରେନ୍ଦ୍ର ତୋମର ଓ ପିୟୁସ ଗୋଏଲ ଉପସ୍ଥିତ ଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ବଜେଟ ୨୦୨୦ ପାଇଁ ମାଇଁ ଗଭ ପ୍ଲାଟଫର୍ମରେ ଲୋକଙ୍କଠାରୁ ମତାମତ ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଥିଲେ,’କେନ୍ଦ୍ରୀୟ ବଜେଟ ୧୩୦ କୋଟି ଭାରତୀୟଙ୍କ ଆଶା ଓ ବିଶ୍ୱାସର ପ୍ରତିଫଳନ ଯାହା ଭାରତର ବିକାଶ ଦିଗରେ ସହାୟକ ଅଟେ।’

ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ବଜେଟ ଆଗତ କରିବେ। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧ ଏବଂ ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ।

ଆଜିର ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଓ ନୀତି ଆୟୋଗ ସଦସ୍ୟ ୟୁ.କେ. ସାରସ୍ୱତ, ରମେଶଚାନ୍ଦ ଓ ଭି.କେ. ପଲ, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧକ୍ଷ ବିବେକ ଦେବରାୟ, କ୍ୟାବିନେଟ ସଚିବ ଏବଂ ଅର୍ଥ ସଚିବ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବେସରକାରୀ କ୍ଷେତ୍ରରୁ ଜରୁରୀକାଳୀନ ପାଣ୍ଠି, କଞ୍ଚାମାଲ ଉତ୍ପାଦନ, ପର୍ଯ୍ୟଟନ ଓ ଗସ୍ତ, ନିର୍ମିତ ବସ୍ତ୍ର, ଏଫଏମ୍‍ସିଜି, କୋଠାବାଡି ନିର୍ମାଣ, ଡାଟା ଓ ଆର୍ଥିକ ବିଶ୍ଲେଷଣ ଆଦି କ୍ଷେତ୍ର ଏଥିରେ ଯୋଗଦେଇଥିବାବେଳେ କୃଷି ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ କ୍ଷେତ୍ରର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ। ଏହାଛଡା ଯୁବ ଉଦ୍ୟୋଗପତି ମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଛନ୍ତି। ବୈଠକରେ ମୁଖ୍ୟତ ଅର୍ଥନୀତି ଓ ଅଭିବୃଦ୍ଧି ଉପରେ ଆଲୋକପାତ କରାଯାଉଛି। ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ ବଡ ବଡ ଉଦ୍ୟୋଗପତିମାନଙ୍କ ସହ ଅର୍ଥନୈତିକ ସ୍ଥିତି ଓ ସେଗୁଡିକର ସମାଧାନ ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ନିଯୁକ୍ତି ସୃଷ୍ଟି ସଂକ୍ରାନ୍ତରେ ଆଲୋଚନା କରିଥିଲେ।

Comments are closed.