ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ପାଇଁ ଭାରତ – ମରିସସ୍‍ ରାଜି

ନୂଆଦିଲ୍ଲୀ: ଭାରତ ଓ ମରିସସ୍‍ ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇଁ ଏକାଠି ମିଶି କାର୍ଯ୍ୟ କରିବାକୁ ଏକମତ ହୋଇଛନ୍ତି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡିକରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂଆଦିଲ୍ଲୀରେ ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ସହ କଥାବାର୍ତ୍ତା କରିଛନ୍ତି। ମରିସସ୍‍ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ କୋବିତା ଜଗନ୍ନାଥ ଏକ ବ୍ୟକ୍ତିଗତ ଗସ୍ତରେ ଭାରତ ଆସିଛନ୍ତି। ମୋଦୀ କହିଛନ୍ତି, ମରିସସ୍‍ର ଉତ୍ତରୋତ୍ତର ଉନ୍ନତି ପାଇଁ ସେଠାକାର ସରକାର ଓ ଜନସାଧାରଣ ଭାରତରୁ ପର୍ଯ୍ୟାପ୍ତ ସାହାଯ୍ୟ ଓ ସମର୍ଥନ ପାଇପାରିବେ। ମରିସସରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଭାରତର ସହଯୋଗ ପାଇଁ ଶ୍ରୀଜଗନ୍ନାଥ କୃତଜ୍ଞତା ଜଣାଇଛନ୍ତି। ସେଗୁଡିକ ମଧ୍ୟରେ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପ, ଇ.ଏନ.ଟି ହସ୍‍ପିଟାଲ ଓ ସୋସିଆଲ ହାଉସିଂ ଆଦି ପ୍ରକଳ୍ପ ଅର୍ନ୍ତଭୁକ୍ତ। ଏହି ସବୁ ପ୍ରକଳ୍ପରୁ ମରିସସ୍‍ର ଜନସାଧାରଣ ବିଶେଷଭାବେ ଉପକୃତ ହୋଇଛନ୍ତି।

ପ୍ରବୀନ୍ଦ କହିଛନ୍ତି, ମରିସସ୍‍ର ବିକାଶକୁ ତ୍ୱରାନ୍ୱିତ କରିବା ଓ ଭାରତ ସହିତ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ସେ ଅଗ୍ରାଧିକାର ଦେଇଆସୁଛନ୍ତି। ଏ କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ସେ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ କରିବା ଲାଗି ସେ ତାଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି।

Comments are closed.