ତିନୋଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷଣ ସୁବିଧା କେନ୍ଦ୍ରକୁ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଶ୍ୱର ଅନେକ ଦେଶ ଅପେକ୍ଷା ଭାରତ ବୈଶ୍ବିକ କରୋନା ମହାମାରୀକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷଣ ସୁବିଧା କେନ୍ଦ୍ରକୁ ଉଦ୍‍ଘାଟନ କରିବା ଅବସରରେ  ଉଦବୋଧନ ଦେଇ ଶ୍ରୀ ମୋଦୀ, ଦେଶରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ରାମ ସ୍ତରରେ ଥିବା କ୍ଲିନିକ୍ ଏବଂ ଡିସପେନସାରିରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ତଥା ଉନ୍ନତ କରିବାକୁ ସେ ଆହ୍ବାନ କରିଛନ୍ତି। ଠିକ୍ ସମୟରେ ଦେଶରେ ନିଆଯାଇଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ଯେ, ଏହା ଭାରତରେ ମହାମାରୀକୁ ବହୁ ପରିମାଣରେ ରୋକିବାରେ ସାହାଯ୍ୟ କରିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷଣ ସୁବିଧା କେନ୍ଦ୍ରକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି। ଏହି କେନ୍ଦ୍ରଗୁଡିକ ଦେଶର ନମୁନା ପରୀକ୍ଷା କ୍ଷମତାକୁ ବୃଦ୍ଧି କରିବା ସହ ମାମଲାଗୁଡିକର ଆଗୁଆ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ଏହି ମହାମାରୀ ବ୍ୟାପିବାକୁ ନିୟନ୍ତ୍ରଣ କରିବା ଦିଗରେ ସହାୟକ ହେବ। ଏହି ତିନୋଟି କେନ୍ଦ୍ର ନୋଏଡା, କୋଲକତା ଓ ମୁମ୍ବାଇରେ ପ୍ରତିଷ୍ଠା କରାଯାଇଛି।

ଏହି ତିନୋଟି କେନ୍ଦ୍ରରେ ଦୈନିକ ୧୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇପାରିବ। ଏହି ଅତ୍ୟାଧୁନିକ ପରୀକ୍ଷାଗାରରେ କାର୍ଯ୍ୟରତ କର୍ମଚାରୀମାନେ ସେଠାରେ ବ୍ୟବହୃତ ସଂକ୍ରାମକ ଉପକରଣ ସହିତ ଅପେକ୍ଷାକୃତ କମ୍‍ ସଂସ୍ପର୍ଶରେ ଆସିବେ। ମହାମାରୀ ପରବର୍ତ୍ତୀ ସମୟରେ ଏହିସବୁ ପରୀକ୍ଷାଗାରରେ ହେପାଟାଇଟିସ୍‍ ବି’ ଓ ସି’, ଏଚଆଇଭି ଓ ଡେଙ୍ଗୁ ଆଦି ରୋଗର ପରୀକ୍ଷା କରାଯାଇପାରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ  ଶ୍ରୀ ମୋଦୀ ସୂଚନା ଦେଇ କହିଛନ୍ତି ଯେ ଭାରତରେ ଆରୋଗ୍ୟ ହାର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ଏବଂ ନିକଟ ଭବିଷ୍ୟତରେ କୋଭିଡ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ  ଅତିକ୍ରମ କରିବ। ମହାମାରୀ ନିୟନ୍ତ୍ରଣ କରିବାରେ କୋଭିଡ ଯୋଦ୍ଧାଙ୍କ ଅତୁଳନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।
ମାସ୍କ ପିନ୍ଧିବା, ଶାରୀରିକ ଦୂରତା ବଜାୟ ରଖିବା ଏବଂ ହାତର ସ୍ୱଚ୍ଛତା ରଖିବା ଭଳି ପ୍ରତ୍ୟେକ କୋଭିଡ-୧୯ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ନେଇ ଶ୍ରୀ ମୋଦୀ ନାଗରିକମାନଙ୍କୁ ଆହ୍ବାନ କରିଛନ୍ତି।

Comments are closed.