ଭାରତ ବିଶ୍ବ ଔଷଧ ଜଗତର କେନ୍ଦ୍ର ହୋଇପାରିଛି : ପ୍ରଧାନମନ୍ତ୍ରୀ ମୋଦୀ

ଔଷଧ ଉଦ୍ୟୋଗ ନେତୃବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରମୁଖ​‌ ଔଷଧ ଉଦ୍ୟୋଗର ନେତୃବର୍ଗଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ମହାମାରୀ ବିରୋଧରେ ଲଢ଼େଇରେ ଔଷଧ ଉଦ୍ୟୋଗ ଜଗତର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ଏପରି ସଂଘର୍ଷପୂର୍ଣ୍ଣ ସମୟରେ ମଧ୍ୟ ଦ୍ରୁତ ଗତିରେ କାର୍ୟ୍ୟ କରୁଥିବାରୁ ଔଷଧ ଉଦ୍ୟୋଗକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେ ଫାର୍ମା ଉଦ୍ୟୋଗର ପ୍ରୟାସ କାରଣରୁ ଭାରତ ଆଜି ‘ଫାର୍ମାସୀ ଅଫ ଓ୍ବାର୍ଲ୍ଡ’ ବା ବିଶ୍ବ ଔଷଧ ଜଗତର କେନ୍ଦ୍ର ଭାବେ ପରିଚିତ ହୋଇପାରିଛି। ମହାମାରୀ ସମୟରେ ସାରା ବିଶ୍ବର ୧୫୦ଟି ଦେଶକୁ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ସମସ୍ତ ସମସ୍ୟା ସତ୍ତ୍ବେ ଗତ ବର୍ଷ ରପ୍ତାନି କ୍ଷେତ୍ରରେ ଭାରତୀୟ ଔଷଧ ଉଦ୍ୟୋଗ ୧୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିପାରିଥିଲା, ଯାହାକି ଏହି କ୍ଷେତ୍ରର ସମ୍ଭାବନାକୁ ଉଜାଗର କରିଥାଏ।
କରୋନା ଭୂତାଣୁର ଦ୍ବିତୀୟ ଲହରୀ ଏବଂ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସମ୍ପର୍କରେ, ପ୍ରଧାନମନ୍ତ୍ରୀ ବିଭିନ୍ନ ଜରୁରୀ ଔଷଧ ଉତ୍ପାଦନ ବଢ଼ାଇବା ନିମନ୍ତେ ପ୍ରୟାସ କରିଥିବାରୁ ଔଷଧ ଉଦ୍ୟୋଗକୁ ପ୍ରଶଂସା କରିଥିଲେ। ରେମଡିସିଭିର ଭଳି ଇଞ୍ଜେକ୍ସନର ମୂଲ୍ୟ ହ୍ରାସ ନିମନ୍ତେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ଔଷଧ ଓ ଅତ୍ୟାବଶ୍ୟକ ଚିକିତ୍ସା ସରଞ୍ଜାମ ଯୋଗାଣ ସୁଗମ କରିବା ସକାଶେ, ପ୍ରଧାନମନ୍ତ୍ରୀ ମୋଦୀ ଔଷଧ ଉଦ୍ୟୋଗ ଜଗତକୁ ବାଧାମୁକ୍ତ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ନିମନ୍ତେ ଅନୁରୋଧ କରିଥିଲେ। ଲଜିଷ୍ଟିକ୍ସ ଓ ପରିବହନ ପାଇଁ ସରକାରଙ୍କ ସହାୟତା ନିମନ୍ତେ ମଧ୍ୟ ପ୍ରଧାନମନ୍ତ୍ରୀ ନିଜର ସମର୍ଥନ ଜଣାଇଥିଲେ।
କୋଭିଡ ସମେତ ଭବିଷ୍ୟତରେ ଦେଖାଯିବାକୁ ଥିବା ବିପଦର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଗବେଷଣା ପାଇଁ ସେ ଏହି ଉଦ୍ୟୋଗ ଜଗତକୁ ଅନୁରୋଧ କରିଥିଲେ। ସେ କହିଥିଲେ, ଏହା ଭୂତାଣୁର ମୁକାବିଲା କ୍ଷେତ୍ରରେ ଅଗ୍ରଣୀ ହେବା ପାଇଁ ଆମକୁ ସହାୟକ ହେବ।
ଔଷଧ ଉଦ୍ୟୋଗ ଠାରୁ ସହଯୋଗ ଆଶା କରି ପ୍ରଧାନମନ୍ତ୍ରୀ ନୂଆ ଔଷଧ ଏବଂ ନିୟାମକ ପ୍ରକ୍ରିୟାରେ ସରକାର ସଂସ୍କାର ଆଣିବେ ବୋଲି ଆଶ୍ବାସନା ଦେଇଥିଲେ।
ସରକାରଙ୍କ ପକ୍ଷରୁ ମିଳୁଥିବା ସକ୍ରିୟ ସହାୟତା ଓ ସହଯୋଗକୁ ଔଷଧ ଉଦ୍ୟୋଗର ନେତୃବର୍ଗ ପ୍ରଶଂସା କରିଥିଲେ। ଔଷଧ ଉତ୍ପାଦନ ଜାରି ରଖିବା ଏବଂ ଲଜିଷ୍ଟିକ୍ସକୁ ସୁନିଶ୍ଚିତ କାର୍ଯ୍ୟକ୍ଷମ କରିବା ଲାଗି ଗତ ଏକ ବର୍ଷ ଧରି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ। ଔଷଧ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଉତ୍ପାଦନ, ପରିବହନ, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ସେବା ପାଇଁ ପରିଚାଳନା ପ୍ରକ୍ରିୟା ସର୍ବୋଚ୍ଚ ସ୍ତରରେ ବଜାୟ ରହିଛି। ଦେଶରେ କୋଭିଡ ଚିକିତ୍ସା ପ୍ରୋଟୋକଲରେ ଉପଯୋଗ ହେଉଥିବା ଔଷଧର ଚାହିଦାରେ ଅଭୂତପୂର୍ବ ବୃଦ୍ଧି ସତ୍ତ୍ବେ ସାମଗ୍ରିକ ଔଷଧ ଚାହିଦା ପୂରଣ କରିବା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅଂଶଗ୍ରହଣକାରୀମାନେ ସୂଚନା ଦେଇଥିଲେ।
ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ  ଅଶ୍ବିନୀ କୁମାର ଚୌବେ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ  ଡି.ଭି ସଦାନନ୍ଦ ଗୌଡ଼ା, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଭାଣ୍ଡଭ୍ୟା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି କେ ପଲ, କ୍ୟାବିନେଟ ସଚିବ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ, କେନ୍ଦ୍ର ଔଷଧ ସଚିବ, ଆଇସିଏମଆର ଡିଜି ଡା. ବଳରାମ ଭାର୍ଗବଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Comments are closed.