ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ଉଦଘାଟନ କଲେ ଜଙ୍ଗଲ ସଫାରି ପ୍ରକଳ୍ପ

ଗୁଜୁରାଟର ନର୍ମଦା ଜିଲ୍ଲାର କେଭାଡିଆ ନିକଟ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଙ୍ଗଲ ସଫାରି ପ୍ରକଳ୍ପର ଉଦଘାଟନ କରିଛନ୍ତି। ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନ ନାମରେ ପରିଚିତ ଏହି ପ୍ରକଳ୍ପ ଏକ ରେକର୍ଡ ସମୟ ମଧ୍ୟରେ ଶେଷ ହୋଇଛି। ଏହି ଅତ୍ୟାଧୁନିକ ପ୍ରାଣୀ ଉଦ୍ୟାନ ପ୍ରକଳ୍ପ ୩୭୫ ଏକର ଜମିରେ ବ୍ୟାପିଛି ଏବଂ ସାତୋଟି ବିଭିନ୍ନ ସ୍ତରରେ ନିର୍ମିତ ହୋଇଛି। ଏଥିରେ ପୃଥିବୀର ୧୧୦୦ରୁ ଅଧିକ ପକ୍ଷୀ ଏବଂ ୧୦୦ଟି ବିଭିନ୍ନ ପ୍ରଜାତିର ପ୍ରାଣୀ ରହିବ ପାଇଁ ବ୍ୟବସ୍ଥା ରହିଛି। ଏହି ଜଙ୍ଗଲ ସଫାରି ପାର୍କରେ ପିଲାମାନଙ୍କ ପାଇଁ ଅନେକ ଆକର୍ଷଣ ରହିଛି ଯେଉଁଥିରେ ଶୁଆ, କାକତୁଆ, ଲମ୍ବା ଲାଞ୍ଜ ଥିବା ବିଲେଇ, ଠେକୁଆ, ଗିନିପିଗ, ଘୋଡା, ମେଣ୍ଢା ଏବଂ ଛେଳି, କଇଁଛ ଏବଂ ହଂସ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି। ୧୭ ଏକର ପରିମିତ ଅଞ୍ଚଳରେ ଆରୋଗ୍ୟ ବନରେ ୩୮୦ ପ୍ରଜାତିର ପ୍ରାୟ ୫ ଲକ୍ଷ ଗଛ ରହିଛି। ଆରୋଗ୍ୟ କୁଟୀର ଏକ ପାରମ୍ପରିକ ଚିକିତ୍ସା ସୁବିଧା ଥିବା ସୁଧାର କେନ୍ଦ୍ର। ଏହା ଆୟୁର୍ବେଦ, ସିଦ୍ଧ, ଯୋଗ ଏବଂ ପଞ୍ଚକର୍ମ ଚିକିତ୍ସା ପଦ୍ଧତିରେ ସ୍ଵାସ୍ଥ୍ୟସେବା ଯୋଗାଇବ।

ସେହିପରି ଦେଶର ଏକତା ଓ ବିବିଧତାର ପ୍ରତୀକ ଭାବେ ଏକତା ମଲ ୩୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ସ୍ଥାପିତ ଓ ଏହି ମଲରେ ହସ୍ତକଳା ଓ ଦେଶର ପାରମ୍ପରିକ ସାମଗ୍ରୀମାନ ଉପଲବ୍ଧ ହେବ। ମାତ୍ର ୧୧୦ ଦିନ ମଧ୍ୟରେ ନିର୍ମିତ ଏହି ମଲରେ ୨୦ଟି ଏମ୍ପୋରିୟମ ରହିଛି।

ବିଶ୍ଵର ପ୍ରଥମ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଶିଶୁ ପୋଷଣ ଉଦ୍ୟାନ ୩୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି। ଉଦ୍ୟାନର ବିଭିନ୍ନ ସ୍ଥାନ ଫଳଶାକ ଗୃହମ, ପୟୋନଗରୀ, ଅର୍ଣ୍ଣପୂର୍ଣ୍ଣା, ପୋଷଣ ପୁରାଣ ଏବଂ ସ୍ୱାସ୍ଥ୍ୟ ଭାରତମ ଭଳି ବିଷୟବସ୍ତୁ ଉପରେ ଆଧାରିତ ସ୍ଥାନକୁ ବୁଲିବାକୁ ଯିବା ପାଇଁ ଏକ ପୋଷଣ ଟ୍ରେନର ମଧ୍ୟ ବ୍ୟବସ୍ଥା ରହିଛି। ମିରର ମଜେ ଓ ୫ଡି ଭର୍ଚୁଆଲ ଥିଏଟର ଭଳି ଶୈକ୍ଷିକ କାର୍ଯ୍ୟକଳାପ ଜରିଆରେ ଏହା ପୋଷଣ ସଚେତନତା ବୃଦ୍ଧି କରିବ।

ଆସନ୍ତାକାଲି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଆୟୋଜିତ ହେବାକୁ ଥିବା ଏକତା ପ୍ୟାରେଡରେ ମଧ୍ୟ ଅଂଶଗ୍ରହଣ କରିବେ।

Comments are closed.