ଡରନି, ପ୍ରସ୍ତୁତ ରୁହ – ସାର୍କ ରାଷ୍ଟ୍ରନେତାଙ୍କୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସାର୍କ ରାଷ୍ଟ୍ରନେତାଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଆଲୋଚନାରେ ମୋଦୀ କହିଛନ୍ତି ଯେ କରୋନା ଭୂତାଣୁକୁ ନେଇ ଆମେମାନେ ଭୟଭୀତ ହେବାର ନାହିଁ। ଏହାର ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି ଆମେ ଆବଶ୍ୟକ ପଦକ୍ଷେପ ନେବା ସହିତ ପ୍ରସ୍ତୁତ ରହିବା ଦରକାର। ଦକ୍ଷିଣ ଏସିଆରେ ଏହି ଭୂତାଣୁ ଅଧିକ ମାତ୍ରାରେ ସଂକ୍ରମିତ ହୋଇନାହିଁ। ତେଣୁ ଆଗାମୀ ଦିନରେ ଆମେ ସତର୍କ ରହିବା ଦରକାର। ମୋଦୀ କହିଥିଲେ ଯେ କରୋନା ବିରୋଧରେ ଆମେ ମିଳିମିଶି ଲଢେଇ କରିବା ଦରକାର ଓ ମିଳିତ ଭାବେ ବିଜୟୀ ହେବା। କରୋନା ମୁକାବିଲା ପାଇଁ ଏକ ଜରୁରୀକାଳୀନ ପାଣ୍ଠି ଗଠନ ଲାଗି ମୋଦୀ ପ୍ରସ୍ତାବ ଦେବା ସହିତ ଭାରତ ପକ୍ଷରୁ ଏହି ପାଣ୍ଠିକୁ ୧୦ ନିୟୁତ ଡଲାର ଦାନ କରିଛନ୍ତି।

ଭାରତରେ ସଂକ୍ରମଣକୁ ରୋକିବା ଲାଗି ଜାନୁଆରୀ ମଧ୍ୟ ଭାଗରୁ ବିମାନବନ୍ଦରରେ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି। ଭାରତ ଏବେ ବିଭିନ୍ନ ଦେଶକୁ ଯାତ୍ରା କଟକଣା ଲାଗୁ କରିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବିମାନବନ୍ଦରରେ ୧୨ଲକ୍ଷରୁ ଅଧିକ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ସେହିପରି ବିଦେଶରେ ରହୁଥିବା ୧୪୦୦ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ପଡୋଶୀ ରାଷ୍ଟ୍ରର କିଛି ନାଗରିକଙ୍କୁ ମଧ୍ୟ ସଂକ୍ରମିତ ଦେଶରୁ ଫେରାଇ ଅଣାଯାଇଛି। ଆଲୋଚନାରେ ପାକିସ୍ତାନର ପ୍ରତିନିଧି ଜାଫର ମିର୍ଜା କହିଥିଲେ ଯେ କରୋନାକୁ ନେଇ ତାଙ୍କ ଦେଶ ବିଚଳିତ। ପାକିସ୍ତାନ ସରକାର ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ସପ୍ତାହ ପାଇଁ ବନ୍ଦ କରିଛନ୍ତି। ଭୂତାଣୁର ପ୍ରତିରୋଧ ଲାଗି ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ। ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ମାତ୍ର ୫ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସମସ୍ତେ ବିଦେଶ ଫେରନ୍ତା। ସଂକ୍ରମଣକୁ ପ୍ରତିରୋଧ ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ ପଦକ୍ଷେପ ନେଉଛନ୍ତି।

ନେପାଳ ସରକାର ମଧ୍ୟ ଭୂତାଣୁ ସଂକ୍ରମଣ ବିରୋଧରେ ଅନେକ ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ ଶର୍ମା ଓଲି କହିଥିଲେ। ଏହି ଭିଡିଓ କନଫରେନ୍ସିଂରେ ସାର୍କ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଯବାୟା ରାଜପକ୍ଷ, ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ଭୂଟାନ ପ୍ରଧାନମନ୍ତ୍ରୀ ଲୋଟୟେ ସେରିଙ୍ଗ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ ଘନି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସହଯୋଗୀ ଜାଫର ମିର୍ଜା ଉପସ୍ଥିତ ଥିଲେ। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ସାର୍କ ରାଷ୍ଟ୍ରଗୁଡିକୁ କରୋନା ମୁକାବିଲା ଲାଗି ଏକ ରଣନୀତି ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ।

Comments are closed.