ରାଜଧାନୀ ଓ ପର୍ଯ୍ୟଟନସ୍ଥଳୀକୁ ’ସୌର ନଗରୀ’ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ୟ୍ୟକାରିତା, ସଂଶୋଧିତ ଶୁଳ୍କ ନୀତି ତଥା ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ଦ୍ଵାରା ଉପୁଜୁଥିବା ସମସ୍ୟାର ସମାଧାନ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ଖାଉଟିମାନଙ୍କ ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟ ଦକ୍ଷତା ବୃଦ୍ଧି ସହ ଶକ୍ତି କ୍ଷେତ୍ରରେ ଆର୍ଥିକ ସ୍ଥାୟିତ୍ଵ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି।

ଡ଼ିସକମ ଯେପରି ତାହାର କାର୍ୟ୍ୟଶୈଳୀ ସମ୍ପର୍କରେ ସମୟାନୁସାରେ ଲୋକମାନଙ୍କୁ ଅବଗତ କରାଇବ ତାହା ସୁନିଶ୍ଚିତ କରିବା ପାଇଁ ସେ ଶକ୍ତି ମନ୍ତ୍ରଣାଳୟକୁ ପରାମର୍ଶ ଦେବା ସହ ଶକ୍ତି କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତି ସ୍ଵଦେଶୀ ହେବା ଉପରେ ଗୁରୁତ୍ଵାରୋପ କରିଛନ୍ତି। ସେହିପରି କୃଷି କ୍ଷେତ୍ରରେ ନୂତନ ଓ ଅକ୍ଷୟ ଶକ୍ତିର ପ୍ରୟୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି। କୃଷି କ୍ଷେତ୍ରର ସୌରଚାଳିତ ପମ୍ପଠାରୁ ଆରମ୍ଭ କରି ଶୀତଳ ଭଣ୍ଡାରଗୁଡିକୁ ସୌରଚାଳିତ କରିବା ଉପରେ ସେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟର ରାଜଧାନୀ ଅଥବା ପର୍ଯ୍ୟଟନ ସ୍ଥଳୀକୁ ସଂପୂର୍ଣ୍ଣ ସୌରଶକ୍ତି ପରିଚାଳିତ ନଗରୀରେ ପରିଣତ କରାଯିବା ଆବଶ୍ୟକ। ଛାତ ଉପରେ ସୋଲାର ପ୍ୟାନେଲମାନ ବସାଇ ସୌର ଶକ୍ତି ଆହରଣ କରାଯାଇପାରିବ ବୋଲି ସେ କହିଛନ୍ତି। ଦେଶରେ ପରିବେଶ ବିକାଶ ସହିତ ଇନଗଟ, ୱେଫର ଓ ସେଲ ପ୍ରଭୃତିର ଉତ୍ପାଦନ ହୋଇପାରିଲେ, ଏହା କର୍ମ ସଂସ୍ଥାନ ବୃଦ୍ଧି କରିବା ସହିତ ଅନେକ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲଦାଖକୁ କାର୍ବନ ବିହୀନ କରିବା ପାଇଁ ଯୋଜନା ତ୍ୱରାନ୍ୱିତ କରିବା ସହ ସୌର ଓ ପବନ ଚାଳିତ ଶକ୍ତିର ଉପଯୋଗ କରି ଉପକୂଳ ଅଞ୍ଚଳରେ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ପରାମର୍ଶ ଦେଇଛନ୍ତି।

Comments are closed.