ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ଏକବିଂଶ ଶତାବ୍ଦୀର ଭାରତକୁ ଗତିଶକ୍ତି ପ୍ରଦାନ କରିବ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ପାଇଁ ପିଏମ ଗତିଶକ୍ତି – ନ୍ୟାଶନାଲ୍‍ ମାଷ୍ଟର ପ୍ଲାନ୍‍ ଓ ଇଣ୍ଡିଆ ଟ୍ରେଡ୍‍ ପ୍ରମୋଶନ୍‍ ଅର୍ଗାନାଇଜେସନର ନୂଆ ପ୍ରଦର୍ଶନୀ କଂପ୍ଲେକ୍ସକୁ ଉଦ୍‍ଘାଟନ କରିବା ସହ ଏହି କଂପ୍ଲେକ୍ସର ମଡେଲକୁ ସମୀକ୍ଷା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ଓ ଅତ୍ୟାଧୁନିକ ମୌଳିକ ଢ଼ାଞ୍ଚା ସହିତ ନ୍ୟାଶନାଲ୍‍ ମାଷ୍ଟର ପ୍ଲାନ୍‍ ଏକବିଂଶ ଶତାବ୍ଦୀର ଭାରତକୁ ଗତିଶକ୍ତି ପ୍ରଦାନ କରିବ।

ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ୍‍ ଉଭୟ ସରକାରୀ ଓ ଅନ୍ୟ ଭାଗିଦାରମାନଙ୍କୁ ଗୋଟିଏ ମଞ୍ଚକୁ ଆଣି ପରିବହନ ବ୍ୟବସ୍ଥାକୁ ସାବଲୀଳ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହା ଦ୍ୱାରା ସାମୂହିକ ଶାସନର ପ୍ରସାର ଘଟିବ ଏବଂ ଏକବିଂଶ ଶତାବ୍ଦୀର ଭାରତ ସମସ୍ତ ପୁରୁଣା ଚିନ୍ତାଧାରାକୁ ପଛରେ ପକାଇ ନୂଆ ଚିନ୍ତାଧାରା ସହ ଅଗ୍ରସର ହେବ। ପ୍ରଧାନମନ୍ତ୍ରୀ, ଆଜିର ମନ୍ତ୍ର ହେଉଛି, ଅଗ୍ରଗତି ପାଇଁ ଇଚ୍ଛା, ଅଗ୍ରଗତି ପାଇଁ କାର୍ଯ୍ୟ, ଅଗ୍ରଗତି ପାଇଁ ସମ୍ବଳ, ଅଗ୍ରଗତି ପାଇଁ ଯୋଜନା ଓ ଅଗ୍ରଗତିକୁ ଅଗ୍ରାଧିକାର ପ୍ରଦାନ ବୋଲି କହିଛନ୍ତି।

ଏବେ ଅନେକ ରାଜନୈତିକ ଦଳ ମୌଳିକ ଢ଼ାଞ୍ଚାକୁ ଅଗ୍ରାଧିକାର ଦେଉନଥିବା କହିବା ସହ ସେମାନଙ୍କର କାର୍ଯ୍ୟସୂଚୀରେ ଏହା କେବେ ଦେଖିବାକୁ ମିଳୁନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ଏଭଳି କିଛି ରାଜନୈତିକ ଦଳ ଅଛନ୍ତି, ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ମୌଳିକ ଢ଼ାଞ୍ଚା ସୃଷ୍ଟିକୁ ସମାଲୋଚନା କରିବାରେ ଆନନ୍ଦ ପାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତମ ମାନର ମୌଳିକ ଢ଼ାଞ୍ଚା ସୃଷ୍ଟି ସବୁଠାରେ ଗ୍ରହଣୀୟ ଓ ଏହାଦ୍ୱାରା ସ୍ଥାୟୀ ବିକାଶ ସମ୍ଭବ ହେବ। ଏହା ମଧ୍ୟ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଶ୍ରୀ ମୋଦୀ କହିଛନ୍ତି ଗତଶକ୍ତି-ନ୍ୟାଶନାଲ୍‍ ମାଷ୍ଟର ପ୍ଲାନ୍‍ ପୁଞ୍ଜି ନିବେଶକାରୀମାନଙ୍କୁ ନିଷ୍ପତ୍ତି ଗ୍ରହଣରେ ଏକ ବିଜ୍ଞାନ ସମ୍ମତ ମାଧ୍ୟମ ଯୋଗାଇବ। ଏହା ମଧ୍ୟ ଦେଶର ନୀତି ନିର୍ଦ୍ଧାରଣକାରୀ ମାନଙ୍କୁ ନିଷ୍ପତ୍ତି ଗ୍ରହଣରେ ସାହାଯ୍ୟ କରିବ। ସେ କହିଛନ୍ତି ଭାରତର ବିକାଶ ପାଇଁ ମୌଳିକ ଢ଼ାଞ୍ଚା ବିକାଶ ସହ ସଂପୃକ୍ତ ସମସ୍ତ ବିଭାଗ ଏକାଠି ହେବା ଓ ପରସ୍ପରର ଶକ୍ତିର ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଆଭିମୁଖ୍ୟ ଗତ କିଛିବର୍ଷ ଭିତରେ ଭାରତକୁ ଅଭୂତପୂର୍ବ ଗତି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ ପୂର୍ବର ୫ ବର୍ଷ ସମୟ ମଧ୍ୟରେ ମାତ୍ର ୩ ହଜାର କିଲୋମିଟର ଦୀର୍ଘ ରେଳପଥ ବିଦ୍ୟୁତିକରଣ କରାଯାଇଥିଲା। କିନ୍ତୁ ଗତ ୭ ବର୍ଷ ଭିତରେ ୨୪ ହଜାର କିଲୋମିଟର ଦୀର୍ଘ ରେଳପଥର ବିଦ୍ୟୁତିକରଣ କରାଯାଇଛି। ୨୦୧୪ ପୂର୍ବରୁ ମାତ୍ର ୬୦ଟି ପଞ୍ଚାୟତକୁ ଅପ୍ଟିକାଲ୍‍ ଫାଇବର୍‍ ସଂଯୋଗ ଦିଆଯାଇଥିବା ବେଳେ ବିଗତ ୭ ବର୍ଷ ମଧ୍ୟରେ ଦେଢ଼ଲକ୍ଷରୁ ଅଧିକ ଗ୍ରାମପଞ୍ଚାୟତକୁ ଅପ୍ଟିକାଲ୍‍ ଫାଇବର୍‍ ସଂଯୋଗ ଦିଆଯାଇଛି। ଭାରତ ଅନ୍ତର୍ଦେଶୀୟ ଜଳପଥ ଓ ସି- ପ୍ଲେନ କ୍ଷେତ୍ରରେ ନୂଆ ମୌଳିକ ଢ଼ାଞ୍ଚାର ସ୍ଥାପନ କରିଛି।

ଶ୍ରୀ ମୋଦୀ କହିଛନ୍ତି ୨୦୧୪ ପୂର୍ବରୁ ମାତ୍ର ୫ଟି ଅନ୍ତର୍ଦେଶୀୟ ଜଳପଥ ଥିବାବେଳେ ଆଜି ୧୩ଟି ଅନ୍ତର୍ଦେଶୀୟ ଜଳପଥ କାର୍ଯ୍ୟକ୍ଷମ ହୋଇଛି। ଶ୍ରୀ ମୋଦୀ କହିଛନ୍ତି ବିମାନ ଚଳାଚଳ କ୍ଷେତ୍ରରେ ଅତ୍ୟାଧୁନିକ ବ୍ୟବସ୍ଥାର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ ଚାଲିଛି। ସେ ପୁଣି କହିଛନ୍ତି ବିମାନ ସଂଯୋଗରେ ଉନ୍ନତି ଆଣିବା ପାଇଁ ନୂଆ ନୂଆ ବିମାନ ବନ୍ଦର ଗୁଡ଼ିକର ନିର୍ମାଣ କରାଯାଇଛି ଓ ଏହି କ୍ଷେତ୍ରକୁ ଖୋଲି ଦିଆଯାଇଛି।

Comments
Loading...