କୋଭିଡ-୧୯ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀ – ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଲୋଚନା

ସମାଜ ପୋର୍ଟାଲ ଡେସ୍କ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି ଏବଂ ଦୁଇ ନେତା କୋଭିଡ-୧୯ ଜନିତ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ଏହାର ନିରାକରଣ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁଯାୟୀ, ଏଭଳି ଘଡ଼ିସନ୍ଧି ସମୟରେ ଉଭୟ ଦେଶ ମଧ୍ୟରେ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଣ ନିଶ୍ଚିତ କରିବା ସହିତ ପାରସ୍ପରିକ ସହଯୋଗକୁ ସେମାନେ ଗୁରୁତ୍ୱ ଦେଇଛନ୍ତି। କୋଭିଡ-୧୯ ଯୋଗୁ ଦେଖା ଦେଇଥିବା ସଂକଟଜନକ ଅର୍ଥନୈତିକ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀ ରଣନୀତିକୁ ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇବା ସହ ପରବର୍ତ୍ତୀ ଭାରତ-ଇୟୁ ସମ୍ମିଳନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ପ୍ରସ୍ତୁତ କରିବାକୁ ସେମାନଙ୍କ ଅଧିକାରୀମାନେ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ସହମତ ହୋଇଛନ୍ତି। ପରେ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ କରି କହିଛନ୍ତି ଯେ ୟୁରୋପୀୟ ପରିଷଦର ଅଧ୍ୟକ୍ଷଙ୍କ ସହ ତାଙ୍କର ଉତ୍ତମ ଆଲୋଚନା ହୋଇଛି ଏବଂ ଆଗାମୀ ଦିନରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ସହଭାଗୀତାର ଅନେକ ସମ୍ଭାବନା ରହିଛି।

Comments are closed.