କଂଗ୍ରେସ, ଏନସିପିକୁ ମୋଦୀଙ୍କ ଆହ୍ବାନ; କହିଲେ ସାହସ ଅଛି ତ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଲାଗୁ କରାଇ ଦେଖାଅ

ମୁମ୍ବଇ: ମହାରାଷ୍ଟ୍ରରେ ବିଜେପିର ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଗୁଡ଼ିକ ଉପରେ ପ୍ରବଳ ବର୍ଷିଛନ୍ତି। ବିଶେଷ କରି ବିରୋଧୀ କଂଗ୍ରେସ ଏବଂ ଏନସିପିକୁ ମୋଦୀ ଟାର୍ଗେଟ କରିଛନ୍ତି। ଏପରି କି ସାହସ ଅଛି ଯଦି ଜାମ୍ମୁ-କାଶ୍ମୀର ଧାରା ୩୭୦ ଲାଗୁ କରି ଦେଖାଅ ବୋଲି ମୋଦୀ ଉଭୟ ବିରେଧୀ ଦଳକୁ ଆହ୍ବାନ କରିଛନ୍ତି।

ଜଲଗାଓଁରେ ଆୟୋଜିତ ଏକ ରାଲିରେ ମୋଦୀ କହିଥିଲେ, ବିରୋଧୀମାନେ କୁମ୍ଭୀର କାନ୍ଦଣା କାନ୍ଦି ଲୋକମାନଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି। ଏହି ନେତାମନେ କାଶ୍ମୀରରେ ଧାରା ୩୭୦ ଫେରାଇ ଆଣି ପାରିବେ କି ? ଭାରତର ଲୋକମାନେ ସେମାନଙ୍କୁ ଏଥିପାଇଁ ଅନୁମତି ଦେବେ କି ? ଭାରତୀୟମାନେ ଏହାକୁ ଗ୍ରହଣ କରିବେ କି ? ମୁଁ ବିରୋଧୀମାନଙ୍କୁ ଚ୍ୟାଲେଞ୍ଜ କରୁଛି, ସେମାନେ ତାଙ୍କ ନିର୍ବାଚନୀ ଇସ୍ତାହାରରେ ଏହା ଘୋଷଣା କରନ୍ତୁ ଯେ ଧାରା ୩୭୦କୁ ସେମାନେ ଫେରାଇ ଆଣିବେ।

ସେ କହିଥିଲେ, ବିଜେପି ପାଇଁ ଜାମ୍ମୁ-କାଶ୍ମୀର ଏବଂ ଲଦାଖ କେବଳ ଏକ ଭୂଖଣ୍ଡ କିମ୍ବା ଅଞ୍ଚଳ ନୁହେଁ। ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ମୁକୁଟ। ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଆମେ ପଦକ୍ଷେପ ନେଉଛୁ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ସରକାରଙ୍କ ଅଗଷ୍ଟ ୫ ତାରିଖର ନିଷ୍ପତ୍ତି ଐତିହାସିକ ବୋଲି ମୋଦୀ କହିଥିଲେ। ପାକିସ୍ତାନର ନାଁ ନ ନେଇ ମୋଦୀ କହିଥିଲେ, ଏକ ପଡ଼ୋଶୀ ଦେଶ ଜାମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି। କିନ୍ତୁ ସରକାର କାଶ୍ମୀରରେ ସ୍ଥିରତା ଆଣିବା ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି।

Comments are closed.