ନୂଆ ଚିନ୍ତାଧାରାକୁ ସମ୍ମାନ ଦେବା ଭାରତୀୟମାନଙ୍କ ରକ୍ତରେ ରହିଛି – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଖୋଲା ମନୋଭାବ, ଭିନ୍ନ ମତବାଦ ଓ ନୂଆନୂଆ ଚିନ୍ତାଧାରାକୁ ସମ୍ମାନ ଦେବା ଭାରତୀୟମାନଙ୍କ ରକ୍ତରେ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ସମଗ୍ର ବିଶ୍ୱ ଘୃଣା ସୃଷ୍ଟିକାରୀ ମନୋଭାବ, ହିଂସା, ବିବାଦ ଓ ଆତଙ୍କବାଦଠାରୁ ମୁକ୍ତ ହେବାକୁ ସଂଗ୍ରାମ କରୁଛି ସେତେବେଳେ ଭାରତୀୟ ଜୀବନଶୈଳୀ ବିଶ୍ୱ ପାଇଁ ଆଶାର କିରଣ ସଞ୍ଚାର କରୁଛି। ସେ କହିଛନ୍ତି, ଭାରତ ବଳପ୍ରୟୋଗ ମାଧ୍ୟମରେ ନୁହେଁ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ କରିଥାଏ। ଆଇ.ଆଇ.ଏମ୍‍. କୋଜିକୋଡେର ଛାତ୍ରଛାତ୍ରୀମାନଙ୍କୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରିକି ପାଶ୍ଚାତ୍ୟ ଦେଶମାନେ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେବା ପାଇଁ ଦଶନ୍ଧି ଦଶନ୍ଧି ସମୟ ନେଇଯାଇଥିବା ବେଳେ ଭାରତୀୟ ସମ୍ବିଧାନର ପ୍ରଣେତାମାନେ ପ୍ରଥମରୁ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ପ୍ରତି ଭାରତୀୟ ଚିନ୍ତାଧାରାର ଅନେକ ଅବଦାନ ରହିଛି ଓ ଆଗକୁ ବିଶ୍ୱକୁ ଦିଗ୍‍ଦର୍ଶନ ଦେବାକୁ ଭାରତର ସାମର୍ଥ୍ୟ ରହିଛି। ସେ କହିଛନ୍ତି, ଜାତିର ଜନକ ମହାତ୍ମା ଗାନ୍ଧି ଏହି ଆଦର୍ଶର ଉଦ୍ରେକ କରାଇଥିଲେ ଓ ଶାନ୍ତି ମାଧ୍ୟମରେ ଦେଶକୁ ସ୍ୱାଧୀନ କରିଥିଲେ। ଦୟା, ସଦଭାବନା, ନ୍ୟାୟ, ସେବା ଓ ଖୋଲା ମନୋଭାବ ଭଳି ଭାରତୀୟ ଜୀବନ ଶୈଳୀ ପ୍ରତି ମୋଦୀ ଗୁରୁତ୍ୱାରୋପ କରିବା ସହ ଏହା ଭାରତୀୟ ମୂଲ୍ୟବୋଧର ମୌଳିକ ଉପାଦାନ ରହି ଆସିଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଦେଶ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ପାଇଁ ଗ୍ରହଣ କରିଥିବା ପଦକ୍ଷେପର ଭୂୟସୀ ପ୍ରଶଂସା କରିଛନ୍ତି। ଦେଶରେ ଜଙ୍ଗଲ ବୃଦ୍ଧି ପାଉଥିବାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ଓ ଦେଶରେ ବ୍ୟାଘ୍ରମାନଙ୍କର ସଂଖ୍ୟା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଫଳପ୍ରଦ ହୋଇଥିବା କହିଛନ୍ତି।

Comments are closed.