ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଭାରତ, ଶ୍ରୀଲଙ୍କା ସହ କାନ୍ଧକୁ କାନ୍ଧ ମିଶାଇ ଛିଡ଼ାହେବ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ବୈଦେଶିକ
ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଏହି ଗସ୍ତ ଭାରତର “ପଡ଼ୋଶୀ ପ୍ରଥମେ ନୀତି”କୁ ପ୍ରତିପାଦିତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀ ରବିବାର ଅପରାହ୍ଣରେ ଶ୍ରୀଲଙ୍କାର ଇଣ୍ଡିଆ ହାଉସ୍‍ଠାରେ ଭାରତୀୟ ସମୁଦାୟଙ୍କ ସହ ଭାବ ବିନିମୟ କରିଥିଲେ।

କ୍ରମାଗତ ଦ୍ୱିତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ଭାବେ ଶାସନ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ମୋଦୀ ତାଙ୍କର ପ୍ରଥମ ବିଦେଶ ଗସ୍ତକାଳରେ ଆଜି ସକାଳେ କଲମ୍ବୋରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ତାଙ୍କୁ ଶ୍ରୀଲଙ୍କା ପ୍ରଧାମନ୍ତ୍ରୀ ରନିଲ୍‍ ବିକ୍ରମାସିଂହେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ସେଠାରୁ ସିଧା ସେଣ୍ଟ ଆନ୍ଥୋନୀ ଚର୍ଚ୍ଚ ଯାଇ ଇଷ୍ଟର ରବିବାର ଆକ୍ରମଣରେ ନିହତ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ତାଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ପରେ ଶ୍ରୀ ମୋଦୀ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନାଙ୍କ ସହ ପକ୍ଷୀୟ ଆଲୋଚନା କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଆତଙ୍କବାଦର ମୂଳୋତ୍ପାଟନ କରିବା, ଭାରତ ମହାସାଗର ଅଞ୍ଚଳରେ ଉପକୂଳ ସୁରକ୍ଷା ଏବଂ ଅର୍ଥନୈତିକ ବିକାଶରେ ସହଭାଗିତା ସମ୍ପର୍କରେ ଆଲୋଚନା ହୋଇଥିଲା। ବିରୋଧୀ ଦଳ ନେତା ମହିନ୍ଦା ରାଜପକ୍ଷେ ଏବଂ ତାମିଲ୍‍ ନେତା ଆର୍‍.ଏ. ସମ୍ପନ୍ଥନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍‍ କରିଥିଲେ।
ଏକ ଟ୍ୱିଟ୍‍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଶ୍ରୀଲଙ୍କାରେ ପୁଣି ଥରେ ସ୍ୱାଭାବିକ ଅବସ୍ଥା ଫେରିଆସିବ ବୋଲି ସେ ଆଶାବାଦୀ ଏବଂ ଆତଙ୍କବାଦୀମାନଙ୍କର କୌଣସି ଭୀରୁ ଆକ୍ରମଣ ଏହି ଦ୍ୱୀପରାଷ୍ଟ୍ରର ମନୋବଳ ଭାଙ୍ଗି ଦେଇପାରିବ ନାହିଁ। ଭାରତ, ଶ୍ରୀଲଙ୍କା ସହ କାନ୍ଧକୁ କାନ୍ଧ ମିଶାଇ ଛିଡ଼ାହେବ ବୋଲି ସେ କହିଛନ୍ତି। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ୫ ବର୍ଷ ଶାସନକାଳରେ ଶ୍ରୀଲଙ୍କାକୁ ଦୁଇ ଥର ଗସ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାରୁ ଫେରି ଆନ୍ଧ୍ରପ୍ରଦେଶର ତିରୁପତିଠାରେ ପହଞ୍ଚିଛନ୍ତି । ସେଠାରେ ସେ ପ୍ରସିଦ୍ଧ ତିରୁପତି-ତିରୁମାଲା ମନ୍ଦିରରେ ଭଗବାନ
ଭେଙ୍କଟେଶ୍ୱରଙ୍କ ପୂଜାର୍ଚ୍ଚନା କରୁଛନ୍ତି।

Comments are closed.