ରାମ ଲୀଳା ମୈଦାନରେ ଦଶହରା ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଦ୍ୱାରିକାସ୍ଥିତ ସେକ୍ଟର ୧୦ ରାମ ଲୀଳା ମୈଦାନରେ ବିଜୟ ଦଶମୀ ଅବସରରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇଛନ୍ତି। ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ ପାଳନ କରାଯାଉଥିବା ପର୍ବ ପର୍ବାଣି ଆମ ସଂସ୍କୃତି ସହ ନିବିଡ ଭାବେ ଜଡିତ। ଏଥିରୁ ଆମେ ପାରମ୍ପରିକ ଭାରତୀୟ କଳା, ସଂଗୀତ ଏବଂ ନୃତ୍ୟ ବିଷୟରେ ଜ୍ଞାନ ଆହରଣ କରିଥାଉ। ମୋଦୀ କହିଛନ୍ତି, ପର୍ବ ପର୍ବାଣି ସମସ୍ତ ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ପର୍ବପର୍ବାଣି ଶିକ୍ଷଣୀୟ। ସେ କହିଛନ୍ତି, ଭାରତ ହେଉଛି ଶକ୍ତି ସାଧନାର ପୀଠ। ଗତ ୯ଦିନ ଧରି ଆମେ ମା’ଙ୍କୁ ପୂଜା କରୁଛେ ତେଣୁ ଦେଶରେ ମହିଳାଙ୍କ ଆତ୍ମସମ୍ମାନ ବୃଦ୍ଧି ସହ ସେମାନଙ୍କ ସଶକ୍ତିକରଣ ପାଇଁ ଆମେ ସମସ୍ତେ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ସମ୍ପର୍କରେ କହିଛନ୍ତି, ଦେଶବାସୀ ଆମ ବାୟୁସେନା ପାଇଁ ଗର୍ବିତ।

ପ୍ରଧାନମନ୍ତ୍ରୀ ମନ କି ବାତରେ କହିଥିବା କଥା ସ୍ମରଣ ପୂର୍ବକ କହିଛନ୍ତି, ନାରୀ ହେଉଛନ୍ତି ଗୃହ ଲକ୍ଷ୍ମୀ। ଆମେ ଲକ୍ଷ୍ମୀ ପୂଜନ କରି ନାରୀମାନଙ୍କ ଅନ୍ତର୍ନିହିତ ଶକ୍ତିର ଉତଥାନ ପାଇଁ ଚେଷ୍ଟା କରିବା ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ବାର୍ଷିକୀ ପାଳନ ଅବସରରେ ଖାଦ୍ୟ ନଷ୍ଟ ନ କରିବା, ଶକ୍ତି ସଂରକ୍ଷଣ ଏବଂ ଜଳ ବଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି।

Comments are closed.