ଶାହାଙ୍କ ପରେ ସିଏଏକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦୀ

ଦୁମକା( ଝାଡଖଣ୍ଡ) : ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପରେ ନାଗରିକତା ସଂଶୋଧନ ଆଇନକୁ ନେଇ ରବିବାର କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଂଗ୍ରେସ ଓ ଏହାର ମେଣ୍ଟ ଦଳଗୁଡିକ ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ବିବାଦର ଝଡ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି । ଝାଡଖଣ୍ଡର ଦୁମକା ଜିଲ୍ଲାରେ ଆୟୋଜିତ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଦେଶର କେତେକ ସ୍ଥାନରେ ଦେଖାଦେଇଥିବା ହିଂସା ଓ ଅଶାନ୍ତି ପଛରେ ବିରୋଧୀ ଦଳଗୁଡିକର ହାତ ରହିଛି। ସେମାନେ ଲୋକମାନଙ୍କ ବିଭ୍ରାନ୍ତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ  କହିଛନ୍ତି ।

ଝାଡଖଣ୍ଡରେ ବିରୋଧୀ ମେଣ୍ଟକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ପାଇଁ କଂଗ୍ରେସ ଏବଂ ଜେଏମ୍‍ଏମ୍‍ ନିକଟରେ କୌଣସି ନିର୍ଦ୍ଧିଷ୍ଟ ନୀତି ନାହିଁ । ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ଅବହେଳା କରି ବିରୋଧୀଦଳର ନେତାମାନେ ନିଜ ପାଇଁ ବଡ଼ ବଡ଼ କୋଠା ନିର୍ମାଣ କରିଚାଲିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି । ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶରୁ ଭାରତକୁ ପଳାଇ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସମ୍ମାନ ଜଣାଇ ସଂସଦର ଉଭୟ ସଦନରେ ନାଗରିକତ୍ୱ ସଂଶୋଧନ ବିଲ୍‍ ଅନୁମୋଦିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.