ଅର୍ଥନୈତିକ ବିକାଶ କ୍ଷେତ୍ରରେ ଇତିହାସ ରଚିବ ଦେଶ – ମୋଦୀ

ଡେସ୍କ: କ୍ଷୁଦ୍ର ବ୍ୟବସାୟ କ୍ଷେତ୍ରର ସମ୍ପ୍ରସାରଣ ଓ ସେମାନଙ୍କ ପାଇଁ ସମାଧାନ ଉପାୟ ଖୋଜି ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆନ ସ୍କୁଲ ଅଫ ବିଜିନେସ ଓ ଯୁବ ସ୍ନାତକଧାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ଆତ୍ମନିର୍ଭର ଭାରତ ସ୍ବପ୍ନ ସାକାର ହୋଇପାରିବ। ଆଜି ହାଇଦ୍ରାବାଦ ଆଇ.ଏସ୍‍.ବିର ସ୍ନାତକ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୁବ ସ୍ନାତକଧାରୀମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଦେଶ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଇତିହାସ ରଚିବାକୁ ଯାଉଛି।

ଶ୍ରୀ ମୋଦୀ କହିଛନ୍ତି, କ୍ଷୁଦ୍ର ବ୍ୟବସାୟ କ୍ଷେତ୍ରର ବିକାଶ ଦ୍ୱାରା ଦେଶର କୋଟି କୋଟି ଲୋକଙ୍କ ବିକାଶ ହୋଇପାରିବ। ବୈଷୟିକ ଜ୍ଞାନ ସହ ନିଜକୁ ଖାପ ଖୁଆଇବା ପାଇଁ ପରାମର୍ଶ ଦେଇ ସେ କହିଛନ୍ତି, ଆଇ.ଏସ୍‍.ବି. ଭଳି ପ୍ରତିଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନେ ଏ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ। ଉଚ୍ଚାଭିଳାଷୀ ଜିଲ୍ଲାଗୁଡ଼ିକ ଉପରେ ଅଧ୍ୟୟନ କରିବାକୁ ସେ ଆଇ.ଏସ୍‍.ବି. ଓ ମ୍ୟାନେଜ୍‍ମେଣ୍ଟ ସ୍ନାତକଧାରୀମାନଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯେଉଁ ଜିଲ୍ଲାଗୁଡ଼ିକୁ ଅନଗ୍ରସର କୁହାଯାଉଥିଲା, ଆଜି ସେଗୁଡ଼ିକୁ ଉଚ୍ଚାଭିଳାଷୀ ଜିଲ୍ଲା କୁହାଯାଉଛି। ସେହି ଜିଲ୍ଲାଗୁଡ଼ିକରେ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବା ଏବଂ ସେଗୁଡ଼ିକର ଆତ୍ମବିଶ୍ୱାସ ବଢ଼଼ାଇବା ପାଇଁ ଏଭଳି କରାଯାଉଛି।

ଦେଶର ଅର୍ଥନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଘଟୁଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବ୍ୟବସାୟ କ୍ଷେତ୍ର ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଆତ୍ମନିର୍ଭର ଭାରତ ଯାତ୍ରାରେ କ୍ଷୁଦ୍ର ବ୍ୟବସାୟ ଓ କ୍ଷୁଦ୍ର ଉଦ୍ୟୋଗପତିମାନଙ୍କୁ ଅନ୍ତର୍ଭୁକ୍ତ କରିବା ପ୍ରତି ସେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହୋଇଛି। ଏକ ଉନ୍ନତ ଭବିଷ୍ୟତ ପାଇଁ ଭାରତକୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରି ଏହା ଆତ୍ମନିର୍ଭରତା ମାଧ୍ୟମରେ ସମ୍ଭବ ବୋଲି ଶ୍ରୀ ମୋଦୀ କହିଛନ୍ତି।

Comments are closed.