ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ରେ ହକି ବିଶ୍ୱ କପ୍‍ ଏବଂ ଓଡ଼ିଶା ପର୍ଯ୍ୟଟନର କଥା

0

-ଓଡିଶାର ଇତିହାସ, ସଂସ୍କୃତି ଅତ୍ୟନ୍ତ ସମୃଦ୍ଧ ଓ ଗୌରବୋଜ୍ଜଳ 
-ଓଡିଆ ଲୋକେ ଖୁବ୍‍ ଉତ୍ସାହୀ
-ହକି ବିଶ୍ୱକପ ଦେଖିବା ଲାଗି ଭୁବନେଶ୍ୱର ଯିବାକୁ କ୍ରୀଡାପ୍ରେମୀଙ୍କୁ ଆହ୍ୱାନ

ନୂଆଦିଲ୍ଲୀ : ଭୁବନେଶ୍ୱର ଆସି ଭାରତୀୟ ହକି ଟିମ୍‍କୁ ଉତ୍ସାହିତ କରନ୍ତୁ ଏବଂ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ମଜା ନିଅନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ‘ମନ କି ବାତ’ରେ ଏହା କହିଛନ୍ତି । ସେ କହିଛନ୍ତି,  ଆପଣମାନଙ୍କର ମନେଥିବ ୨୦୧୭ରେ ଆମେ ୧୭ ବର୍ଷରୁ କମ୍‍ ଫିଫା ବିଶ୍ୱ କପ୍‍ ର ସଫଳ ଆୟୋଜନ କରିଥିଲୁ। ସମ୍ପୂର୍ଣ୍ଣ ସଫଳ ଟୁର୍ଣ୍ଣାମେଣ୍ଟ ଭାବେ ବିଶ୍ୱବାସୀ ଏହାର ପ୍ରଶଂସା ମଧ୍ୟ କରିଥିଲେ। ୧୭ ବର୍ଷରୁ କମ୍‍ ଫିଫା ବିଶ୍ୱ କପରେ ଦର୍ଶକମାନଙ୍କ ସଂଖ୍ୟା କ୍ଷେତ୍ରରେ ମଧ୍ୟ ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରିଥିଲା। ଦେଶର ଭିନ୍ନ-ଭିନ୍ନ ଷ୍ଟାଡ଼ିୟମରେ ୧୨ ଲକ୍ଷରୁ ଅଧିକ ଲୋକ ଫୁଟବଲ ଖେଳକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଚଳିତ ବର୍ଷ ଭାରତକୁ ପୁରୁଷ ହକି ବିଶ୍ୱକପ ୨୦୧୮ ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜନ କରିବାର ସୌଭାଗ୍ୟ ମିଳିଛି। ହକି ବିଶ୍ୱକପ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଭାରତୀୟ – ସେ ଯେକୌଣସି ଖେଳ ଖେଳୁଥାନ୍ତୁ ନା କାହିଁକି କିମ୍ବା ଯେକୌଣସି ଖେଳ ପ୍ରତି ତାଙ୍କର ରୁଚି ଥାଉ, ହକି ସହ ସମସ୍ତଙ୍କ ମନରେ ଗୋଟିଏ ସମ୍ପର୍କ ନିଶ୍ଚୟ ରହିଥାଏ। ହକିରେ ଭାରତର ସ୍ୱର୍ଣ୍ଣିମ ଇତିହାସ ରହିଛି। ଅତୀତରେ ଭାରତକୁ ଅନେକ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ମିଳିଛି ଏବଂ ଥରେ ବିଶ୍ୱକପ ବିଜେତା ମଧ୍ୟ ହୋଇପାରିଛି। ଭାରତ ଅନେକ ମହାନ ହକି ଖେଳାଳି ସୃଷ୍ଟି କରିଛି। ବିଶ୍ୱରେ ହକିର ଚର୍ଚ୍ଚା ହେବାବେଳେ ଭାରତର ଏହି ମହାନ ଖେଳାଳିମାନଙ୍କ କଥା ବିନା କାହାଣୀ ଅସମ୍ପୂର୍ଣ୍ଣ ରହେ। ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ନାମ ସହ ସାରା ବିଶ୍ୱ ପରିଚିତ। ତାଙ୍କପରେ ବଲୱିନ୍ଦର ସିଂ ସିନିୟର, ଲେସ୍‍ଲି କ୍ଲାଉଡିୟସ୍‍, ମହମ୍ମଦ ଶାହିଦ୍‍, ଉଧମ ସିଂହଙ୍କଠାରୁ ଆରମ୍ଭ କରି ଧନରାଜ ପିଲ୍ଲେଙ୍କ ପର୍ଯ୍ୟନ୍ତ ଏମାନେ ହକିରେ ଗୋଟିଏ ଦୀର୍ଘ ପଥ ଅତିକ୍ରମ କରିଛନ୍ତି। ଆଜି ମଧ୍ୟ ଭାରତୀୟ ଦଳର ଖେଳାଳି ନିଜ ପରିଶ୍ରମ ଏବଂ ନିଷ୍ଠା ବଳରେ ମିଳୁଥିବା ସଫଳତା ଦ୍ୱାରା ହକିର ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛନ୍ତି। କ୍ରୀଡ଼ାପ୍ରେମୀଙ୍କ ପାଇଁ ରୋମାଂଚକର ମ୍ୟାଚ ଦେଖିବାର ଏହା ଗୋଟିଏ ଭଲ ସୁଯୋଗ।

ଭୁବନେଶ୍ୱର ଯାଆନ୍ତୁ ଏବଂ କେବଳ ଭାରତୀୟ ଦଳ ନୁହେଁ ସବୁ ଦଳକୁ ଉତ୍ସାହିତ କରନ୍ତୁ। ଓଡ଼ିଶା ଏଭଳି ଏକ ରାଜ୍ୟ, ଯାହାର ନିଜସ୍ୱ ଗୌରବପୂର୍ଣ୍ଣ ଇତିହାସ ତଥା ସମୃଦ୍ଧ ସାଂସ୍କୃତିକ ପରମ୍ପରା ରହିଛି ସେଠାକାର ଲୋକେ ମଧ୍ୟ ଖୁବ୍‍ ଉତ୍ସାହୀ। କ୍ରୀଡ଼ାପ୍ରେମୀମାନଙ୍କ ପାଇଁ ଓଡ଼ିଶା ଦର୍ଶନର ମଧ୍ୟ ଏହା ଅପୂର୍ବ ସୁଯୋଗ। ଏହି ସମୟରେ ଖେଳକୁ ଉପଭୋଗ କରିବା ସହିତ ଆପଣ କୋଣାର୍କର ସୂର୍ଯ୍ୟମନ୍ଦିର, ପୁରୀରେ ଭଗବାନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଚିଲିକା ହ୍ରଦ ସମେତ ଅନେକ ବିଶ୍ୱପ୍ରସିଦ୍ଧ ଦର୍ଶନୀୟ ଓ ପବିତ୍ର ସ୍ଥଳ ମଧ୍ୟ ଦେଖିପାରିବେ। ଏହି ପ୍ରତିଯୋଗିତା ପାଇଁ ମୁଁ ଭାରତୀୟ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଉଛି ଏବଂ ସେମାନଙ୍କୁ ବିଶ୍ୱାସ ଦେଉଛି ଯେ, ୧୨୫ କୋଟି ଭାରତୀୟ ସେମାନଙ୍କ ସହିତ ସେମାନଙ୍କ ସମର୍ଥନରେ ଠିଆ ହୋଇଛନ୍ତି। ଏହା ସଙ୍ଗେସଙ୍ଗେ ଭାରତକୁ ଆସୁଥିବା ବିଶ୍ୱର ସମସ୍ତ ଦଳଗୁଡ଼ିକୁ ମଧ୍ୟ ସେ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

 

Leave A Reply