ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଭାରତ ଯଥେଷ୍ଟ ପ୍ରଗତି ହାସଲ କରିଛି : ପ୍ରଧାନମନ୍ତ୍ରୀ ମୋଦୀ

0
-ସ୍ୱଚ୍ଛତା ଅଭିଯାନ ଜନମାନସକୁ ଆନ୍ଦୋଳିତ କରିଛି, ୯୫% କଭରେଜ୍‍ ର ନିକଟତର
-ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ୍‍ ୟୁନିଟି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି
-ଜଳବାୟୁ ପରିବର୍ତ୍ତନ ସମସ୍ୟାର ପ୍ରତିକାର ଲାଗି ଦୃଢ ପଦକ୍ଷେପ ପାଇଁ ଭାରତକୁ ମିଳିଲା “ଚାମ୍ପିଅନ୍‍ ଅଫ୍ ଦି ଆର୍ଥ ” ଜାତିସଂଘ ସମ୍ମାନ
-ଭାରତ ହାସଲ କଲା ତ୍ରିମୁଖୀ ପରମାଣୁ ପ୍ରତିରୋଧୀ ସାମରିକ କ୍ଷମତା
-ସକାରାତ୍ମକ ଭାବନା ପ୍ରସାର ଲାଗି ଉତ୍ତମ ୱେବ୍‍ ସାଇଟ୍‍ ଗୁଡ଼ିକୁ ବାଣ୍ଟିିବା ଲାଗି ଆହ୍ୱାନ
-କୁମ୍ଭମେଳାକୁ “ମାନବ ସଭ୍ୟତାର ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ” ମାନ୍ୟତା ଦେଲା ୟୁନେସ୍କୋ
-ଉତ୍ତମ ପୁଷ୍ଟିସାଧନ ଲକ୍ଷ୍ୟ ହାସଲ ଲାଗି “ଇଟ୍ ରାଇଟ୍ ଇଣ୍ଡିଆ” ଅଭିଯାନରେ ସାମିଲ ହେବାକୁ ଆହ୍ୱାନ

ନୂଆଦିଲ୍ଲୀ : ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଭାରତ ଦ୍ରୁତ ପ୍ରଗତି ହାସଲ କରିଛି ଏବଂ ବିଶ୍ୱସ୍ତରୀୟ ପ୍ରସିଦ୍ଧ ପ୍ରତିଷ୍ଠାନଗୁଡ଼ିକ ଭାରତର ଅଭିବୃଦ୍ଧିକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ସାମୂହିକ ଉଦ୍ୟମ ଯୋଗୁଁ ବ୍ୟବସାୟ ସୁଗମତା ତାଲିକାରେ ଭାରତ ଉପରକୁ ଉଠିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରବିବାର ଆକାଶବାଣୀର ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସୌରଶକ୍ତି ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଭାରତର ଉଦ୍ୟମକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି।  ଦେଶବାସୀଙ୍କ ସହିତ ଭାବ ବିନିମୟ କରି ସେ କହିଛନ୍ତି, ଦେଶର ଆତ୍ମ ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ ହୋଇ ପାରିଛି। ଚଳିତ ବର୍ଷ ଭାରତ ପରମାଣୁ ଯୁଦ୍ଧାସ୍ତ୍ର ପରୀକ୍ଷଣରେ ସଫଳତା ହାସଲ କରିଛି, ଯାହାଦ୍ୱାରା ବର୍ତ୍ତମାନ ଦେଶ ଜଳ, ସ୍ଥଳ ଓ ଆକାଶପଥରେ ପରମାଣୁ ଅସ୍ତ୍ର ସଂପନ୍ନକାରୀ ରାଷ୍ଟ୍ର ହୋଇପାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
୨୦୧୮ ମସିହାରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ଏବଂ ଦେଶର ପ୍ରତ୍ୟେକ ଗାଁରେ ବିଦ୍ୟୁତ୍‍ ସେବା ଉପଲବ୍ଧ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀଙ୍କର ସଂକଳ୍ପବଦ୍ଧତା ଯୋଗୁଁ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବର୍ତ୍ତମାନ ଏହା ଶତକଡ଼ା ୯୫ ଭାଗ ଅତିକ୍ରମ କରିବାକୁ ଯାଉଛ। କୁମ୍ଭମେଳା ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ଶ୍ରୀ ମୋଦୀ କହିଛନ୍ତି, ଦେଶର ସାଂସ୍କୃତିକ ପରମ୍ପରା ସମୃଦ୍ଧ ହୋଇଛି ଏବଂ ଜାନୁୟାରୀ ୧୫ ତାରିଖରୁ ପ୍ରୟାଗରାଜରେ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବାକୁ ଯାଉଛି। ସେ କହିଛନ୍ତି କୁମ୍ଭମେଳା ହେଉଛି ଆତ୍ମଆବିଷ୍କାର ଏକ ବଡ଼ଧରଣର ମାଧ୍ୟମ ଏବଂ ଶ୍ରଦ୍ଧାଳୁମାନେ ବସ୍ତୁବାଦକୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅନୁଭବ କରି କଛି ଶିକ୍ଷା ଲାଭ କରି ପାରିବେ। ମାନବ ସଭ୍ୟତାର ସାଂସ୍କୃତିକ ପରମ୍ପରା ତାଲିକାରେ ଗତବର୍ଷ ୟୁନେସ୍କୋ କୁମ୍ଭମେଳାକୁ ତାଲିକାଭୁକ୍ତ କରିଥିବାରୁ ବିଶ୍ୱସ୍ତରରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। ସେ କହିଛନ୍ତି ପ୍ରୟାଗରାଜରେ କୁମ୍ଭମେଳାର ଆୟୋଜନ କରାଯିବା ଦ୍ୱାରା ୧୫୦ ବର୍ଷର ପୁରୁଣା ପଦାଙ୍କ ଅନୁସରଣ କରାଯିବା ସଙ୍ଗେ ସଙ୍ଗେ ଭାରତର ସମୃଦ୍ଧ ପରମ୍ପରାକୁ ସାରା ବିଶ୍ୱରେ ପ୍ରଚାର ଓ ପ୍ରସାର କରାଯାଇ ପାରିବ।
ସମାଜର ପ୍ରତ୍ୟେକ ବର୍ଗ ପାଇଁ କ୍ରୀଡ଼ାର ନିଜସ୍ୱ ଗୁରୁତ୍ୱ ରହିଥିବା ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି, ଯଦି ଜଣେ ବ୍ୟକ୍ତି ଦୃଢ଼ ମନୋବଳ ରଖନ୍ତି ଓ ନିଷ୍ଠାର ସହ କ୍ରୀଡ଼ାକୁ ଆପଣାନ୍ତି, ତେବେ ଏ କ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହୋଇଯିବ ଏବଂ ସଫଳତା ନିଶ୍ଚୟ ହାସଲ କରି ହେବ, ଏଥିରେ ତିଳେମାତ୍ର ସଂଦେହ ନାହିଁ। କୋରିଆରେ କରାଟେ ଚମ୍ପିୟନ୍‍ସିପ୍‍ରେ ସ୍ୱର୍ଣ୍ଣପଦକ ବିଜେତା ଜାମ୍ମୁକାଶ୍ମୀର ଅନନ୍ତନାଗର ୧୨ବର୍ଷର ହନୟଙ୍କ ବିଷୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ମହିଳା ଜୁନିୟର ବକ୍ସିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜେତା ରଜନୀ ଏବଂ ପୁଣେର ବେଦାଙ୍ଗୀ କୁଲ୍‍କର୍ଣ୍ଣୀ ବାଇସାଇକେଲ୍‍ ଚାଳନା କରି ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଜାନୁୟାରୀ ୨୬ତାରିଖ ଦିନ ସାଧାରଣତନ୍ତ୍ର ଦିବସ ଏଥର ବେଶ ସ୍ମରଣୀୟ ହେବ, କାରଣ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମତିଥିରେ ଦେଶ ଏହି ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲି ରାମଫୋସା ଏଥର ମୁଖ୍ୟଅତିଥି ଭାବେ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ। ମହାତ୍ମା ଗାନ୍ଧୀ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅତୁଟ ସଂପର୍କ ରହିଆସିଛି। ସେହିପରି ଗରିବ ଲୋକମାନଙ୍କ ପାଇଁ ଶସ୍ତା ଚିକିତ୍ସା ସେବା ଯୋଗାଇବା ଦିଗରେ ଚେନ୍ନାଇର ଡକ୍ଟର ଜୟଚନ୍ଦ୍ରନ୍‍ଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ପ୍ରସବ ସମୟରେ ଗର୍ଭବତୀ ମହିଳାମାନଙ୍କୁ ସାହାଯ୍ୟ ଯୋଗାଇ ସୁନାମ ଅର୍ଜନ କରିଥିବା ସୁଲଗୀଟି ନରସିମାଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଗରିବ ଓ ଅବହେଳିତମାନଙ୍କ ପାଇଁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଉତ୍ତରପ୍ରଦେଶର ବିଜ୍ନୋର ଡାକ୍ତରମାନେ ପ୍ରତିଷ୍ଠା କରିଥିବା ଶିବିରଗୁଡ଼ିକ ଅତ୍ୟନ୍ତ ସାହାଯ୍ୟକାରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଲୋରି, ପୋଙ୍ଗଲ, ମକରସଂକ୍ରାନ୍ତି, ଉତ୍ତରାୟଣ, ମାଘବିହୁ ଓ ମାଘି ପର୍ବ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି, ଏହିସବୁ ପର୍ବଗୁଡ଼ିକ ଭିନ୍ନଭିନ୍ନ ନାଁରେ ପାଳନ କରାଯାଉଥିଲେ ମଧ୍ୟ ସମସ୍ତଙ୍କ ମନରେ ଏକାପ୍ରକାର ଭାବନା ଓ ଉତ୍ସାହ ସୃଷ୍ଟି କରିଥାଏ। ଜାନୁୟାରୀ ୧୩ ତାରିଖ ଦିନ ପାଳନ ହେବାକୁ ଯାଉଥିବା ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
୨୦୧୯ ମସିହାରେ ଶ୍ରୋତାମାନଙ୍କୁ ଆଉ ଏକ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ପୁଣି ଥରେ ଭେଟିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ଜୀବନରେ, ଦେଶର ଜୀବନ କିମ୍ବା ସମାଜର ଜୀବନକାଳ ପ୍ରଗତି ବିଷୟରେ ଆମକୁ ପ୍ରେରଣା ମିଳିଥାଏ। ନିଜକୁ ଓ ଦେଶକୁ ପରିବର୍ତ୍ତନ ପଥରେ ଆଗେଇ ନେବା ପାଇଁ ନୂଆ ପ୍ରେରଣା, ଉତ୍ସାହ, ସଂକଳ୍ପ ଓ ଆଗ୍ରହର ସହ ସମସ୍ତଙ୍କୁ ଅଗ୍ରସର ହେବାକୁ ପଡ଼ିବ।

Leave A Reply