ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ

- ୧୦ ହଜାର କୃଷକ ଉତ୍ପାଦକ ସଂଗଠନର ହେଲା ଶୁଭାରମ୍ଭ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ପରିବାରମାନଙ୍କୁ ପାଇପ ଜଳ ଯୋଗାଇବା ପାଇଁ ‘ହର ଘର ଜଲ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ୧୦ ହଜାର କୃଷକ ଉତ୍ପାଦକ ସଂଗଠନର ଶୁଭାରମ୍ଭ ସହ ପିଏମ-କିସାନ ଯୋଜନାର ହିତାଧିକାରୀଙ୍କୁ କିସାନ କ୍ରେଡିଟ କାର୍ଡ ବଣ୍ଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପିଏମ କିସାନ ଯୋଜନାର ହିତାଧିକାରୀଙ୍କୁ ଦିଆଯାଉଥିବା କିସାନ କ୍ରେଡିଟ କାର୍ଡ ସାହାଯ୍ୟରେ କୃଷକମାନେ ସ୍ୱଳ୍ପ ମିଆଦି ଋଣ ପାଇପାରିବେ। ଅନ୍ୟ ପକ୍ଷରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ବୁନ୍ଦେଲଖଣ୍ଡ ଅଞ୍ଚଳର ବେକାରୀ ସମସ୍ୟାକୁ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ହର ଘର ଜଲ ଯୋଜନା ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟା ଦୂର କରିବା ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ପ୍ରସ୍ତାବିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ କେବଳ ଏହି ପଛୁଆ ଅଞ୍ଚଳକୁ ଜାତୀୟ ରାଜଧାନୀ ଅଞ୍ଚଳ ସହିତ ସଂଯୋଗ କରିବ ତାହା ନୁହେଁ ବରଂ ବୁନ୍ଦେଲାଖଣ୍ଡ ପ୍ରତିରକ୍ଷା ଶିଳ୍ପ କରିଡରକୁ ମଧ୍ୟ ସହାୟକ ହେବ।

କୃଷକ ଉତ୍ପାଦକ ସଂଗଠନର ଶୁଭାରମ୍ଭ କରି ମୋଦୀ କହିଛନ୍ତି ଯେ ଏହି ସଂଗଠନ କ୍ଷୁଦ୍ର ଏବଂ ଭୂମିହୀନ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ବିପଣନରେ ସାହାଯ୍ୟ କରିବା ସହିତ ଟେକ୍ନୋଲୋଜି, ଗୁଣାତ୍ମକ ବିହନ, ସାର ଏବଂ କୀଟନାଶକ ସୁବିଧା ଉପଲବ୍ଧ କରାଇବାରେ ସାହାଯ୍ୟ କରିବ। କେନ୍ଦ୍ର ସରକାର ପ୍ରତ୍ୟେକ କୃଷକ ଉତ୍ପାଦକ ସଂଗଠନକୁ ୧୫ ଲକ୍ଷ ଟଙ୍କା ସହାୟତା ଯୋଗାଇଦେବେ ବୋଲି ଜଣାପଡିଛି।

Comments are closed.