କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ପାଇଁ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

‘ଜନତା କର୍ଫ୍ୟୁ’ ବାର୍ତ୍ତା ପ୍ରସାର କରିବା ଲାଗି ବିଶିଷ୍ଟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଗାୟିକା ମାଳିନୀ ଅୱସ୍ତୀ ଏବଂ ପ୍ରୀତମ ଭରତୱାନଙ୍କୁ ପ୍ରଶଂସା କରିଛନ୍ତି। ଟ୍ୱିଟରରେ ଏହି ଗୀତକୁ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଜନତା କର୍ଫ୍ୟୁ’କୁ ନେଇ ପ୍ରତ୍ୟେକ ଲୋକ ନିଜ ତରଫରୁ ଯୋଗାଦାନ ଦେବାରେ ଲାଗିଛନ୍ତି। ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ନିଜ ଢଙ୍ଗରେ ଲୋକମାନଙ୍କୁ ଅନୁପ୍ରାଣିତ କରୁଛନ୍ତି…।
ଜନତା କର୍ଫ୍ୟୁକୁ ନେଇ ଲୋକଗୀତ ଗାୟକ ପ୍ରୀତମ ଭରତୱାନ ମଧ୍ୟ ଏକ ଅଭିନବ ଏବଂ ଅତି ସୁମଧୁର ବାର୍ତ୍ତା  ଦେଇଛନ୍ତି।
ସଠିକ ସୂଚନା ପ୍ରସାରିତ କରିବା ସହିତ ଉପଯୁକ୍ତ ସତର୍କତା ଅବଲମ୍ବନ କରୁଥିବାର ଗଣମାଧ୍ୟମ ଜଗତକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆଶା ଓ ସକରାତ୍ମକତାର ବାର୍ତା ପ୍ରଚାର କରିବା ପାଇଁ ମଧ୍ୟ ସେ ଗଣମାଧ୍ୟମକୁ ପ୍ରଂଶସା କରିଛନ୍ତି।

ଲୋକଗୀତ ଗାୟକ ପ୍ରୀତମ ଭରତୱାନ, Image Source devdiscourse.com

‘ଜନତା କର୍ଫ୍ୟୁ’ ବାର୍ତ୍ତା ପ୍ରଚାର କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଏକାଧିକ ଟ୍ୱିଟ ଜରିଆରେ ସେ କହିଛନ୍ତି,‘କରୋନା ଭୂତାଣୁ ବିରୋଧରେ ଲଢ଼େଇ କରିବା ଲାଗି ଘରେ ରହିବା ନିମନ୍ତେ ବିଶିଷ୍ଟ ବ୍ୟକ୍ତିବିଶେଷ ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି ’। ଜନସାଧାରଣଙ୍କର ଏଥିପ୍ରତି ଜୋରଦାର ସମର୍ଥନ ରହିଛି।

ରବିବାର ‘ଜନତା କର୍ଫ୍ୟୁ’ରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରି କହିଥିଲେ ଯେ, ଏହା କୋଭିଡ-୧୯ ବିରୋଧୀ ଲଢ଼େଇକୁ ଆହୁରି ଅଧିକ ସଶକ୍ତ କରିବ। ଏହି ସମୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପରିବାର ସହିତ ଅଧିକ ସମୟ ବିତାଇବା, ଟିଭି ଦେଖିବା ଏବଂ ଭଲ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଆହ୍ୱାନ ଜଣାଇଛନ୍ତି। କୋଭିଡ-୧୯ ବିରୋଧରେ ଏହି ଲଢ଼େଇରେ ଆମେ ପ୍ରତ୍ୟେକ ଜଣେ ଜଣେ ଗୁରୁତ୍ୱପୂର୍ଣ୍ଣ ଯୋଦ୍ଧା। ସତର୍କ ଓ ସୁରକ୍ଷିତ ରହିବା ଅନ୍ୟ ଲକ୍ଷାଧିକ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିପାରିବ। ସେ ମଧ୍ୟ କହିଛନ୍ତି ଯେ ସଡ଼କଗୁଡ଼ିକ ଖାଲି ରହିଛି କିନ୍ତୁ କୋଭିଡ-୧୯ ବିରୋଧରେ ଲଢ଼େଇ ସମ୍ପୂର୍ଣ୍ଣ ଜାରି ରହିଛି।

 

Comments are closed.