ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ବବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ମିରଟ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ବବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରବିବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମିରଟର ସାରାଧନା ସହରସ୍ଥ ସାୱାଲା ଓ କାଇଲା ଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦୀ ୭୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଉକ୍ତ କ୍ରୀଡ଼ା ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦେଶରେ କ୍ରୀଡ଼ା ପାଇଁ ପ୍ରଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରିବା ସହ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ନେଇ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଦେଶରେ ଏକାଧିକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହେଉଛି। ବିଶ୍ବ କ୍ରୀଡ଼ାରେ ଭାରତକୁ ସ୍ବତନ୍ତ୍ର ସ୍ଥାନ ଦେବା ନେଇ ପ୍ରୟାସ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମତବ୍ୟକ୍ତ କରିଥିଲେ। ବିଶ୍ବ ସହିତ ଆମକୁ ତାଳ ଦେଇ ଦୌଡ଼ିବାକୁ ପଡିବ। ଏଥିପାଇଁ ଆମକୁ ପ୍ରଥମତଃ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ।
ନିର୍ମିତ ହେବାକୁ ଥିବା କ୍ରୀଡ଼ା ବିଶ୍ବବିଦ୍ୟାଳୟରେ କ୍ରୀଡ଼ା ଭିତ୍ତିଭୂମି ସିନ୍ଥେଟିକ୍‌ ହକି ଗ୍ରାଉଣ୍ଡ, ଫୁଟବଲ ଗ୍ରାଉଣ୍ଡ, ବାସ୍କେଟବଲ, ଭଲିବଲ, ହ୍ୟାଣ୍ଡବଲ, କବାଡି, ଲନ୍‌ ଟେନିସ କୋର୍ଟ, ବ୍ୟାୟାମଶାଳା, ସିନ୍ଥେଟିକ୍‌ ଦୌଡ଼କୁଦ ଟ୍ରାକ, ସନ୍ତରଣାଗାର, ସାଇକେଲ ଭେଲୋଡ୍ରମ ଆଦି ଉପଲବ୍ଧ ହେବ। ଏହାଛଡ଼ା କ୍ରୀଡ଼ା ବିଶ୍ବବିଦ୍ୟାଳୟରେ ବନ୍ଧୁକଚାଳନା, ଜିମ୍ନାଷ୍ଟିକ୍‌, ସ୍କ୍ବାଶ, ଭାରୋତ୍ତୋଳନ, କାୟାକିଂ ଆଣ୍ଡ କାନୋଇଂ ପ୍ରମୁଖ କ୍ରୀଡ଼ା ରହିବ। କ୍ରୀଡ଼ା ବିଶ୍ବବିଦ୍ୟାଳୟରେ ୧୦୮୦ ଖେଳାଳି୫୪୦ ପୁରୁଷ ଓ ୫୪୦ ମହିଳା ଖେଳାଳି ପ୍ରଶିକ୍ଷଣ ନେବାର ସୁବିଧା ରହିବ।

Comments are closed.