ଚହଟିବ ‘ପିଏମ୍‌ କୁସୁମ’

ଭୁବନେଶ୍ୱର: ଭାରତ ସରକାରଙ୍କ ‘ପିଏମ୍‍କୁସୁମ’ ଯୋଜନା ରାଜ୍ୟରେ ଦିଶାହୀନ ହୋଇ ଚାଲିଛି। ଯାହାଫଳରେ ଚାଷୀମାନେ ବିଶେଷ ଭାବେ ଉପକୃତ ହୋଇପାରୁ ନାହାନ୍ତି। ଏହାସହିତ ଅଧିକ ସୌରଶକ୍ତି ଉତ୍ପାଦନ ହୋଇପାରୁ ନ ଥିବାରୁ ଯୋଜନାର ମୂଳଲକ୍ଷ୍ୟ ରାଜ୍ୟରେ ସାଧିତ ହୋଇପାରୁ ନଥିବା ଜଣାଯାଇଛି। ତେଣୁ ଆଗାମୀ ୨୦୨୧ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୫୦୦୦ ସୌର ପ୍ରକଳ୍ପ ତଥା ସୌର ପମ୍ପ ସୃଷ୍ଟି କରିବାକୁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶା ଉଠାଜଳସେଚନ ନିଗମକୁ ଟାର୍ଗେଟ ଦେଇଛନ୍ତି। ଯଦି ଆବଶ୍ୟକ ପଡୁଛି ତେବେ ଭେଣ୍ଡର ମଧ୍ୟ ପରିବର୍ତ୍ତନ କରିବାକୁ ନିର୍ଦେଶ ରହିଛି। ଏହାକୁ ନେଇ ରାଜ୍ୟ ଉଠାଜଳସେଚନ ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିକଟରେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ଜଣାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଅଧିକାଂଶ ଲୋକ ଯେଭଳି ଓରେଡା ମାଧ୍ୟମରେ ସୌରଶକ୍ତି ଉତ୍ପାଦନ କରିବେ ଏବଂ ବ୍ୟବହାର କରି ଲାଭବାନ ହୋଇପାରିବେ ସେନେଇ ବିଜ୍ଞାପନ ଜରିଆରେ ଆକର୍ଷିତ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ ଯୋଗ୍ୟ ଯେ ପିଏମକୁସୁମ ଯୋଜନାରେ ରାଜ୍ୟରେ କେତେ ସଂଖ୍ୟକ ସୌରପ୍ରକଳ୍ପ ନିର୍ମାଣ ହୋଇଛି ଏବଂ କେତେ ବିଦ୍ୟୁତ୍‍ ଉତ୍ପାଦନ ହେଉଛି ସେନେଇ ଶ୍ରୀ ମହାପାତ୍ର ନିକଟରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଜଣାଯାଇଛି ଯେ ପିଏମକୁସୁମର ମଙ୍ଗ ରାଜ୍ୟରେ ଓରେଡା ଧରିଛି। ହେଲେ ଓରେଡା ଯେଭଳି ଭାବେ ଏହି ଯୋଜନକୁ କାର୍ଯ୍ୟକାରୀ କରିବା କଥା କରୁନାହିଁ। ଫଳରେ ବହୁ ଆବେଦନ ପଡି ରହିଛି। ଏହାବାଦ୍‍ ଯେତେସବୁ ଆବେଦନ ଆସୁଛି ତାକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯାଉନାହିଁ କି ବାସ୍ତବିକ ହିତାଧିକାରୀଙ୍କୁ ଏହି ଯୋଜନ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଅବଗତ କରାଯାଉ ନାହିଁ। ତେଣୁ ରାଜ୍ୟରେ ସୌରଶକ୍ତି ଉତ୍ପାଦନ ବୃଦ୍ଧି ହୋଇପାରୁ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟରେ ସୌରପମ୍ପ ସ୍ଥାପନ ଦାୟିତ୍ୱ ନେଇଥିବା ଭେଣ୍ଡର ଯଦି ଠିକଣା ଭାବେ କାର୍ଯ୍ୟକରୁ ନାହିଁ ତେବେ ତାକୁ ପରିବର୍ତ୍ତନ କରିବା ଉପରେ ଉନ୍ନୟନ କମିଶନର ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଜଳନିଧି ଯୋଜନାରେ କୃଷିବିଭାଗଠାରୁ ହିତାଧିକାରୀ ଡାଟା ଆଣି ଜଳସେଚନ ନିଗମ ସୌରପମ୍ପ ସ୍ଥାପନ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଗ୍ରାମାଞ୍ଚଳସ୍ତରରେ ୫୦୬୦ଟି ବୋରୱେଲ ଯେଭଳି ସଂଯୋଗ ହୋଇପାରିବ ତାକୁ ଦୃଷ୍ଟି ଦେବାକୁ ପଡ଼ିବ। ତେବେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବିଦ୍ୟୁତ୍‍ ସଂଯୋଗସ୍ଥଳରୁ ୩୦୦ମିଟର ଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଯାହାଦ୍ୱାରା ଚାଷୀମାନେ ଅଧିକ ଅର୍ଥ ଉପାର୍ଜନ କରିପାରିବେ ବୋଲି ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।
ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମକୁସୁମ ଯୋଜନା କାର୍ଯ୍ୟକାରୀ ବେଳେ ୨୦୨୨ ସୁଦ୍ଧା ଦେଶରେ ୨୫,୭୫୦ ମେଗାୱାଟ ବିଜୁଳି ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏବାବଦକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୪ହଜାର ୪୨୨କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଦେଶରେ ୩୦ଲକ୍ଷ ହିତାଧିକାରୀଙ୍କୁ ଏହା ମାଧ୍ୟମରେ ସାମିଲ କରିବାପାଇଁ ଯୋଜନା ରହିଥିବାବେଳେ ରାଜ୍ୟରେ ଯୋଜନା ଠିକଣା ଭାବେ କାର୍ଯ୍ୟକାରୀ ହୋଇପାର ନଥିବା ସମୀକ୍ଷା ବୈଠକରୁ ଜଣାଯାଇଛି।

Comments are closed.