୪୨ଲକ୍ଷ ଅଯୋଗ୍ୟ ହିତାଧିକାରୀ ନେଇଛନ୍ତି ୩ହଜାର କୋଟି

ନୂଆଦିଲ୍ଲୀ: ପିଏମ୍‌-କିଷାନ୍‌ ଯୋଜନାରେ ଦେଶର ୪୨ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି ପାଖାପାଖି ୩ହଜାର କୋଟି ଟଙ୍କା। କେନ୍ଦ୍ର ସରକାର ଏବେ ସେମାନଙ୍କଠାରୁ ଏହି ଟଙ୍କା ଅସୁଲ ପାଇଁ ପ୍ରଯତ୍ନ କରୁଛନ୍ତି। ଆସାମର ସର୍ବାଧିକ ଅଯୋଗ୍ୟ ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା ହୋଇଥିବାବେଳେ ଏହା ପଛକୁ ରହିଛି ତାମିଲନାଡ଼ୁ, ପଞ୍ଜାବ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ଗୁଜରାତ। କେନ୍ଦ୍ର ସରକାର ଏହି ଯୋଜନାରେ ପ୍ରତି ଯୋଗ୍ୟ ହିତାଧିକାରୀ କୃଷକଙ୍କୁ ତିନି ପର୍ଯ୍ୟାୟରେ ବାର୍ଷିକ ୬ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥାଆନ୍ତି। ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ।

ଲୋକସଭାରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦେଇଥିବା ସୂଚନାନୁଯାୟୀ, ମୋଟ ୪୨ ଲକ୍ଷ ୧୬ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ୨ହଜାର ୯୯୨କୋଟି ଟଙ୍କା ମିଳିଛି। ଆସାମରେ ୮ଲକ୍ଷ ୩୫ ହଜାର, ତାମିଲନାଡ଼ୁରେ ୭ଲକ୍ଷ ୨୨ ହଜାର, ପଞ୍ଜାବରେ ୫ଲକ୍ଷ ୬୨ହଜାର, ମହାରାଷ୍ଟ୍ରରେ ୪ଲକ୍ଷ ୪୫ହଜାର, ଉତ୍ତର ପ୍ରଦେଶରେ ୨ଲକ୍ଷ ୬୫ହଜାର ଓ ଗୁଜରାତରେ ୨ଲକ୍ଷ ୩୬ହଜାର କୃଷକଙ୍କୁ ଏହି ଅର୍ଥ ମିଳିଛି; ଯେଉଁମାନେ କି ଏହା ପାଇବାକୁ ହକ୍‌ଦାର ନୁହନ୍ତି। ଏହା ଜଣାପଡ଼ିବା ପରେ ସରକାର ସେମାନଙ୍କଠାରୁ ଉକ୍ତ ଅର୍ଥ ଫେରସ୍ତ ଆଣିବା ବ୍ୟବସ୍ଥା କରିଛନ୍ତି।

ସେହି ଅନୁସାରେ ଆସାମରୁ ୫୪କୋଟି, ପଞ୍ଜାବରୁ ୪୩୭ କୋଟି, ତାମିଲନାଡୁରୁ ୩୪୦କୋଟି, ମହାରାଷ୍ଟ୍ରରୁ ୩୫୮କୋଟି, ଉତ୍ତର ପ୍ରଦେଶରୁ ୨୫୮କୋଟି ଓ ଗୁଜରାତରୁ ୨୨୦କୋଟି ଟଙ୍କା ଅସୁଲ ହେବାକୁ ଅଛି। ଆଧାର, ଆୟକର ବିଭାଗ ତଥ୍ୟ ଇତ୍ୟାଦିକୁ ନେଇ ଯାଞ୍ଚ ପରେ ଅଯୋଗ୍ୟ ହିତାଧିକାରୀ ସହାୟତା ଅର୍ଥ ହାତେଇଥିବା ଜଣାପଡ଼ିଥିଲା ବୋଲି ତୋମାର କହିଛନ୍ତି। କାହାର ଆଧାର ତଥ୍ୟ ଭୁଲ୍‌ ଥିଲା ଓ କେତେକ ଆୟକର ଦେଉଥିବା ବିଷୟ ଲୁଚାଇଥିଲେ। ଏ ନେଇ ସମ୍ପୃକ୍ତ କୃଷକଙ୍କ ନିକଟକୁ ଚିଠି ପଠାଯାଇଛି।

Comments are closed.