ନୂଆବର୍ଷରେ ମିଳିବ ପି.ଏମ୍‍. କିଶାନ ଯୋଜନାର ଦଶମ କିସ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧ ତାରିଖ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଶାନ୍‍ ସମ୍ମାନନିଧି ଯୋଜନାରେ କୃଷକମାନଙ୍କୁ ଦିଆଯାଉଥିବା ଦଶମ କିସ୍ତିର ଅର୍ଥରାଶି ପ୍ରଦାନ କରିବେ। ଏଥିରେ ୧୦ କୋଟି ହିତାଧିକାରୀଙ୍କୁ ୨୦ ହଜାର କୋଟି ଟଙ୍କା ଦିଆଯିବ। ପି.ଏମ୍‍. କିଶାନ ଯୋଜନାରେ ଦେଶର ଯୋଗ୍ୟ କୃଷକ ପରିବାରକୁ ବାର୍ଷିକ ୬ହଜାର ଟଙ୍କାର ଆର୍ଥିକ ସୁବିଧା ଦିଆଯାଉଛି। ୨ ହଜାର ଟଙ୍କା କରି ତିନୋଟି କିସ୍ତିରେ ସେମାନଙ୍କୁ ଏହି ଆର୍ଥିକ ପ୍ରୋତ୍ସାହନ ମିଳୁଛି।

ଏଥିରେ ହିତାଧିକାରୀଙ୍କ ବ୍ୟାଙ୍କ୍‍ ଆକାଉଣ୍ଟକୁ ସିଧାସଳଖ ପାଣ୍ଠି ହସ୍ତାନ୍ତର କରାଯାଉଛି। ଅଦ୍ୟାବଧି ୧ ଲକ୍ଷ ୬୦ ହଜାର କୋଟି ଟଙ୍କା କୃଷକଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ସାରିଲାଣି। ଏଥିସହିତ ପ୍ରଧାନମନ୍ତ୍ରୀ ପାଖାପାଖି ୩୫୧ଟି କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକୁ ୧୪ କୋଟି ଟଙ୍କାରୁ ଅଧିକ ଅର୍ଥ ଇକ୍ୟୁଟି ମଞ୍ଜୁର କରିବେ, ଯେଉଁଥିରେ ୧ ଲକ୍ଷ ୨୪ ହଜାର କୃଷକ ଉପକୃତ ହୋଇପାରିବେ। ଏହି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏଫ୍‍.ପି.ଓ.ମାନଙ୍କ ସହିତ ଆଲୋଚନା କରିବା ସହ ଦେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

Comments are closed.