ଶହେଟି ଦେଶର ରାଷ୍ଟ୍ରଦୂତ ଦେଖିବେ ଭାରତର କୋଭିଡ ଟୀକା ବିକାଶ

- ଲୋକେ ବୁଝିବା ଭଳି ସରଳ ଭାଷାରେ କୋଭିଡ ଟୀକା ସୂଚନା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଦେଶରେ କରୋନା ଟିକା ବିକାଶ ଏବଂ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ତିନୋଟି ଗୋଷ୍ଠୀ ସହ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍‍ ମାଧ୍ୟମରେ ଆଲୋଚନା କରିଛନ୍ତି। ସେହି ଗୋଷ୍ଠୀଗୁଡ଼ିକରେ ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ, ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ୍‍ ଇ-ଲିମିଟେଡ୍‍ ଏବଂ ଡକ୍ଟର ରେଡ୍ଡିଜ୍‍ ଲାବରେଟୋରିର ପ୍ରତିନିଧି ଭାଗ ନେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରୋନା ମହାମାରୀକୁ ପ୍ରତିହତ କରିବା ଦିଗରେ ଏହି ଟିକା ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକର ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି। ଏହି ଆଲୋଚନାରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭିଡ୍‍ ଟିକାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।

ପ୍ରଧାନମନ୍ତ୍ରୀ ସେହି କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କୁ କରୋନା ଟିକାର ପ୍ରକ୍ରିୟାକରଣ ଏବଂ ତତ୍‍ସମ୍ପର୍କୀତ ବିଷୟଗୁଡ଼ିକ ଉପରେ ପରାମର୍ଶ ଦେବାକୁ କହିଛନ୍ତି। ସେ କହିଛନ୍ତି, ଟିକା ସମ୍ପର୍କରେ ସାଧାରଣ ଲୋକମାନଙ୍କ ବୁଝିବା ଭଳି ସରଳ ଭାଷାରେ କମ୍ପାନୀଗୁଡ଼ିକ ସୂଚନା ପ୍ରସ୍ତୁତ କରନ୍ତି, ଯାହାଫଳରେ ଏହାର ପ୍ରଭାବ ସମସ୍ତେ ବୁଝି ପାରିବେ। ଏହାଛଡ଼ା ଏହି ଆଲୋଚନାରେ ଟିକା ପରିବହନ ଏବଂ ସଂରକ୍ଷଣ ନେଇ ଆଲୋଚନା ହୋଇଛି। ସୋମବାର ହୋଇଥିବା ଭର୍ଚୁଆଲ୍‍ ବୈଠକରେ ଯେଉଁ ତିନୋଟି କମ୍ପାନୀର ପ୍ରତିନିଧି ଉପସ୍ଥିତ ଥିଲେ, ସେହି କମ୍ପାନୀଗୁଡ଼ିକ ଦ୍ୱାରା ବିକଶିତ ହେଉଥିବା ଟିକା ଏବେ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ ସ୍ତରରେ ରହିଛି ଏବଂ ଆସନ୍ତାବର୍ଷ ପ୍ରଥମ ଭାଗ ସୁଦ୍ଧା ଏହା ଉପଲବ୍ଧ ହେବା ନେଇ ଆକଳନ କରାଯାଉଛି। ଏ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‍ ଟିକା ବିକାଶ ସହ ସମ୍ପୃକ୍ତ ସମସ୍ତ ବିଭାଗକୁ ଆବଶ୍ୟକ ସହାୟତା ତୁରନ୍ତ ଯୋଗାଇ ଦେବା ଲାଗି ପରାମର୍ଶ ଦେଇଛନ୍ତି। ଯାହାଫଳରେ ଭାରତ ସମେତ ସାରା ବିଶ୍ୱପାଇଁ ଏହି ଟିକାଗୁଡ଼ିକ ଫଳଦାୟୀ ହୋଇପାରିବ।

ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବେ ଦେଶର ତିନୋଟି ପ୍ରମୁଖ ସହରରେ ଅବସ୍ଥିତ ତିନୋଟି ଟିକା ପ୍ରସ୍ତୁତକାରୀ କମ୍ପାନୀ ପରିଦର୍ଶନ କରି ଏହି ବିଷୟ ନିରିକ୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ସ୍ଥିତ ଜିଡସ୍‍ ବାୟୋଟେକ୍‍ ପାର୍କ, ହାଇାଦ୍ରାବାଦ୍‍ ସ୍ଥିତ ଭାରତ ବାୟୋଟେକ୍‍ ଏବଂ ପୁନେ ସ୍ଥିତ ସେରମ୍‍ ପ୍ରତିଷ୍ଠାନ ଯାଇଥିଲେ। ସେହି ତିନୋଟି କମ୍ପାନୀ ମଧ୍ୟରୁ ଦୁଇଟି କମ୍ପାନୀରେ ସ୍ୱତନ୍ତ୍ର ଭାବେ କୋଭିଡ୍‍ ଟିକାର ବିକାଶ କରାଯାଉଛି ଏବଂ ସେଥି ମଧ୍ୟରୁ ଗୋଟିଏ କମ୍ପାନୀ ସାରା ବିଶ୍ୱକୁ କୋଟି କୋଟି ସଂଖ୍ୟାର ଟିକା ଯୋଗାଇବା ସାମର୍ଥ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ଟିକା ବିକାଶରେ ଜଡ଼ିତ ଥିବା ବୈଜ୍ଞାନିକମାନଙ୍କୁ କହିଥିଲେ ଯେ ଏବେ ଭାରତ କରୋନା ମହାମାରୀକୁ ପ୍ରତିହତ କରିବା ଦିଗରେ ଟିକା ବିକାଶର ଯେଉଁ ସ୍ତରରେ ରହିଛି ସେ କ୍ଷେତ୍ରରେ ବୈଜ୍ଞାନିକମାନଙ୍କ ସହ ସାକ୍ଷାତ ଆଲୋଚନା କରି ସେମାନଙ୍କ ମନୋବଳ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ସେ କହିଥିଲେ, ଭାରତ ବିକାଶ କରୁଥିବା କରୋନା ଟିକା ସାରା ବିଶ୍ୱ ପାଇଁ ବରଦାନ ସାବ୍ୟସ୍ତ ହେବ। କରୋନା ମହାମାରୀ କାଳରେ ସାରା ବିଶ୍ୱରେ ଭାରତର କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଔଷଧ ଫଳପ୍ରଦ ସାବ୍ୟସ୍ତ ହୋଇଛି। କେବଳ ଟିକା କ୍ଷେତ୍ରରେ ଗବେଷଣା ନୁହେଁ ବରଂ ସାରା ବିଶ୍ୱକୁ ଟିକା ଯୋଗାଇବା କ୍ଷେତ୍ରରେ ଭାରତ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସନ୍ତା ମାସରେ ୧୦୦ଟି ଦେଶର ରାଷ୍ଟ୍ରଦୂତମାନେ ପୁନେ ସ୍ଥିତ ସେରମ୍‍ ପ୍ରତିଷ୍ଠାନ ଏବଂ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.