ଆହ୍ୱାନକୁ ମୁକାବିଲା କରିବାରେ ସମଗ୍ର ଦେଶ ଅସୀମ ଧୈର୍ଯ୍ୟ ପ୍ରଦର୍ଶନ କରିଛି : ପ୍ରଧାନମନ୍ତ୍ରୀ

ସମାଜକଲ୍ୟାଣ ସଂଗଠନଗୁଡିକ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

• ମାନବକଲ୍ୟାଣ ଦିଗରେ ସଂଗଠନଗୁଡିକର ଅଙ୍ଗିକାରବଦ୍ଧତା ଓ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
• କୋଭିଡ-୧୯କୁ ମୁକାବିଲା କରିବାରେ ଉଭୟ ଦୀର୍ଘସୂତ୍ରୀ ଓ ସ୍ୱଳ୍ପମିଆଦୀ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
• ଜଟିଳ ପରିସ୍ଥିତିର ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସମାଜକଲ୍ୟାଣ ସଂଗଠନ ପ୍ରତିନିଧିଙ୍କ ପ୍ରଶଂସା 

ନୂଆଦିଲ୍ଲୀ :  ସମାଜକଲ୍ୟାଣରେ ନିୟୋଜିତ ସାମାଜିକ ସଂଗଠନଗୁଡିକର ପ୍ରତିନିଧିମାନଙ୍କ ସହ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି । କୋଭିଡ-୧୯ର ଆହ୍ୱାନକୁ ମୁକାବିଲା କରିବା ପାଇଁ ସମଗ୍ର ଦେଶ ଅସାଧାରଣ ଧର୍ଯ୍ୟ ଓ ଏକତା ପ୍ରଦର୍ଶନ କରିଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି । ଗରିବ ଓ ଅବହେଳିତ ଲୋକଙ୍କ ସେବା ପ୍ରକୃତ ଦେଶ ସେବା ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ସାମାଜିକ ସଂଗଠନଗୁଡିକର ଏଭଳି ମାନବିକ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନଗୁଡିକର ୩ଟି ମୌଳିକ ବିଶେଷତ୍ୱ ରହିଛି । ସେଗୁଡିକ ହେଲା – ମାନବବୋଧ, ଅଧିକରୁ ଅଧିକ ଲୋକଙ୍କ ସହ ମିଶିବା ଏବଂ ସେବା ମନୋବୃତି । ଏହି ଗୁଣଗୁଡିକ ଯୋଗୁଁ ସେମାନେ ବିଶ୍ୱାସର ପାତ୍ର । ସେ କହିଛନ୍ତି ଯେ, ଦେଶ ବର୍ତ୍ତମାନ ଏକ ଅଭୂତପୂର୍ବ ସ୍ଥିତିର ସାମ୍ନା କରୁଥିବା ବେଳେ ଏହି ସଂଗଠନଗୁଡିକର ସେବା ବା ଅବଦାନ ବିଶେଷ ଗୁରୁତ୍ୱପୂ୍‍ର୍ଣ୍ଣ । ଏହି ସଂଗଠନଗୁଡିକ ଗରିବ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ତଥା ଏହାର ସ୍ୱେଚ୍ଛାସେବୀମାନେ ରୋଗୀ ତଥା ଅନ୍ୟାନ୍ୟ ଗରିବ ଶ୍ରେଣୀର ବ୍ୟକ୍ତିମାନଙ୍କ ସୁବିଧା ଓ ଅସୁବିଧାର ଖବର ବୁଝିବାକୁ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଭୟ ଦୀର୍ଘସ୍ଥାୟୀ ଓ ସ୍ୱଳ୍ପମିଆଦୀ ପଦକ୍ଷେପ ନେବା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନ ସହିତ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବା ସହ ସେମାନଙ୍କୁ ଗୁଜବଠାରୁ ଦୂରେଇ ରଖିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ବିଭିନ୍ନ ଭାବନାର ବସବର୍ତ୍ତି ହୋଇ ଲୋକମାନେ ସାମାଜିକ ଦୂରତ୍ୱକୁ ନ ମାନି ସ୍ଥାନେ ସ୍ଥାନେ ଏକାଠି ହେଉଥିବାରୁ ଏହା କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି । ଏକ ଜଟିଳ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ଏହି ସଂଗଠନର ପ୍ରତିନିଧିମାନେ ପ୍ରଶଂସା କରିଛନ୍ତି । ସରକାରଙ୍କ ଦ୍ୱାରା ନିଆଯାଇଥିବା ଆଗୁଆ ପଦକ୍ଷେପ ଯୋଗୁଁ ସଂକ୍ରମଣ ରୋକିବା ଦିଗରେ ଏହା ସହାୟକ ହୋଇଛି ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିକୁ ସହାୟତା ପ୍ରଦାନ କରିବା ସହ ଏଭଳି ପରିସ୍ଥିତିରେ ସେମାନେ ଦେଶ ସେବାରେ ନିଜକୁ ସାମିଲ କରିବେ ବୋଲି କହିଛନ୍ତି । ଡିଜିଟାଲ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀର ବିତରଣ, ଖାଦ୍ୟ ପୁଡିଆ, ସାନିଟାଇଜର, ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବାରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଲୋକମାନଙ୍କ ଚିକିତ୍ସାଗତ ଆବଶ୍ୟକତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଗରିବମାନଙ୍କୁ ଯୋଗାଇବା ଦିଗରେ ସଂଗଠନଗୁଡିକର ସ୍ୱେଚ୍ଛାସେବୀମାନଙ୍କ ଗୁରୁଦାୟୀତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୁଜବଠାରୁ ଦୂରେଇ ରହି କିପରି ବୈଜ୍ଞାନିକ ପରାମର୍ଶ ଦ୍ୱାରା ଜନସାଧାରଣ ପରିଚାଳିତ ହେବେ ସେ ଦିଗରେ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମତ ବିନିମୟରେ ଅଂଶଗ୍ରହଣ କରିଥିଲେ ।

Comments are closed.