ସତର୍କ ଓ ସଂକଳ୍ପବଦ୍ଧ ହୋଇ କୋଭିଡ-୧୯ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

– ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସହ ଯୋଗସୂତ୍ର ରକ୍ଷା କରି ତତ୍କାଳ ସମାଧାନର ପରାମର୍ଶ ଦେବାମନ୍ତ୍ରୀମାନଙ୍କୁ ପରାମର୍ଶ
– ଗରିବ କଲ୍ୟାଣ ଯୋଜନାର ହିତାଧିକାରୀମାନେ ଯେପରି ସୁନିଶ୍ଚିତ ସୁବିଧା ପାଇବେ ତାହାକୁ ନିରବଛିନ୍ନ ଭାବେ ଅନୁଧ୍ୟାନ କରିବାକୁ ବିଭାଗୀୟ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ
– ଗ୍ରାମାଞ୍ଚଳ ଓ ତୃଣମୂଳ ସ୍ତରରେ ଆରୋଗ୍ୟ ସେତୁ ଆପକୁ ଲୋକପ୍ରିୟ କରିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ
– ନୂତନ କୌଶଳ ଅବଲମ୍ବନ କରି କୃଷକମାନଙ୍କୁ ବଜାର ହାଟ ସହ ଆପ ମାଧ୍ୟମରେ ପରିଚିତ କରାଇବା ପାଇଁ ପରାମର୍ଶ
– ଲକଡାଉନ ଓ ସାମାଜିକ ଦୂରତ୍ଵର ନିୟମ ଏକାଠି ରଖିବା ସହ ଲକଡାଉନ ପରେ ଅଗ୍ରାଧିକାର ଭିତ୍ତିରେ ୧୦ଟି ମୁଖ୍ୟ ନିଷ୍ପତ୍ତି ଉପରେ ମନ ନିବେଶ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ
– ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ-୧୯ ଦ୍ଵାରା ପ୍ରଭାବିତ ଆର୍ଥିକ ବ୍ୟବସ୍ଥା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
– ବିଦେଶ ଉପରେ ନିର୍ଭର ନରହି ମେକ ଇନ ଇଣ୍ଡିଆର ସ୍ଵପ୍ନକୁ ସାକାର କରିବା ପାଇଁ ଜଟିଳ ପରିସ୍ଥିତ ଦେଇଛି ସୁଯୋଗ – ପ୍ରଧାନମନ୍ତ୍ରୀ
– ମହାମାରୀର ମୁକାବିଲା ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀଙ୍କୁ ତଥ୍ୟ ଦେଲେ ମନ୍ତ୍ରୀଗଣ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ମତ ବିନିମୟ କରିଛନ୍ତି । ନିରବଚ୍ଛିନ୍ନ ଭାବେ ତଥ୍ୟ ପ୍ରଦାନ କରି କୋଭିଡ-୧୯ର ମୁକାବିଲା ପାଇଁ ସୁଦୃଢ ପଦକ୍ଷେପ ନିଆଯାଇପାରିଥିବାରୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କ ନେତୃତ୍ଵର ପ୍ରଶଂସା କରିଛନ୍ତି । ମହାମାରୀ ଦ୍ଵାରା ବିଶେଷ ପ୍ରଭାବିତ ଜିଲ୍ଲା ଓ ତାହାର ପ୍ରଶାସନ ସହ ଉପଯୁକ୍ତ ଯୋଗସୂତ୍ର ସ୍ଥାପନ କରି ସମସ୍ୟାର ବିହିତ ସମାଧାନ ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସାଧାରଣ ବଣ୍ଟନ କେନ୍ଦ୍ର ଗୁଡ଼ିକରେ ଯେପରି ଜନଗହଳି ନ ହୁଏ, କଳାବଜାରୀ ଯେପରି ବୃଦ୍ଧି ନପାଏ ତାହା ଦେଖିବା ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୃଷକମାନଙ୍କ କଲ୍ୟାଣ ବର୍ତ୍ତମାନ ସବୁଠାରୁ ମୁଖ୍ୟ ପ୍ରସଙ୍ଗ । ଫସଲ ଅମଳ କାଳରେ ସରକାର କୃଷକମାନଙ୍କୁ ସବୁପ୍ରକାରର ସାହାଯ୍ୟ କରିବେ । ସେ ଦୃଷ୍ଟିରୁ ବୈଷୟିକ ଜ୍ଞାନର ଉପଯୋଗ କରି ଫସଲ ଅମଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେବ । ଜଙ୍ଗଲ ଜାତ ଦ୍ରବ୍ୟର ଆହରଣ ପାଇଁ ନୀତି ପ୍ରସ୍ତୁତ କରି ଉଚିତ ସହାୟକ ମୂଲ୍ୟ ଦିଆଗଲେ ଆଦିବାସୀମାନେ ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଥିବା ହିତାଧିକାରୀମାନେ ସେମାନଙ୍କ ନାଯ୍ୟ ହକ୍‍ ରୁ ଯେପରି ବଞ୍ଚିତ ନହୁଅନ୍ତି ତାକୁ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ତେବେ କରୋନା ଭୂତାଣୁ ସଂକ୍ରମଣ ଯେପରି ଅଧିକ ନହୁଏ ସେଥିପାଇଁ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ଆବଶ୍ୟକ ଔଷଧପତ୍ର ଓ ସୁରକ୍ଷା ଉପକରଣର ଯୋଗାଣ ଯେପରି ବାଧିତ ନହୁଏ ସେଥିପାଇଁ ଅଣୁସ୍ତରୀୟ ଯୋଜନାର କାର୍ୟ୍ୟକାରିତା ଉପରେ ସେ ଗୁରୁତ୍ଵାରୋପ କରିଛନ୍ତି । ସାମାଜିକ ଦୂରତ୍ଵ ଓ ଲକଡାଉନ କଟକଣା ଯେପରି କଡାକଡି ଭାବେ ପାଳନ କରାଯାଏ, ଲକଡାଉନ ପରେ ମଧ୍ୟ ତାହାକୁ ଦେଖାଯିବା ଆବଶ୍ୟକ । ଲକଡାଉନ ପରେ କେଉଁ କେଉଁ ଅଞ୍ଚଳରେ କି କି ପଦକ୍ଷେପ ନିଆଯିବ ତାହାର ଏକ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଦେଶ ଉପରେ ନିର୍ଭରଶୀଳ ନହୋଇ ସ୍ଵଦେଶୀ ଢାଞ୍ଚାରେ କିପରି ମେକ ଇନ ଇଣ୍ଡିଆ ସ୍ଵପ୍ନକୁ ସାକାର କରାଯାଇପାରିବ ତାହାର ସୂଚୀ ପ୍ରସ୍ତୁତ କରିବାକୁ ସେ ବିଭିନ୍ନ ବିଭାଗକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Image Source : PIB

କୋଭିଡ-୧୯ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡିବାକୁ ଯାଉଥିବା ପ୍ରଭାବ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାକୁ ପ୍ରତିହତ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ପଡିବ । ସେଥିପାଇଁ ଏକ ନିରବଛିନ୍ନ ବ୍ୟାବସାୟିକ ଯୋଜନା ମନ୍ତ୍ରୀମାନେ ପ୍ରସ୍ତୁତ କରିବା ଉଚିତ ବୋଲି ସେ କହିଥିଲେ । ମେଡିକାଲ ସେକ୍ଟରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ବର୍ତ୍ତମାନ ଏକ ପ୍ରକୃଷ୍ଟ ସୁଯୋଗ ଆସିଛି । ଦେଶର ରପ୍ତାନୀର ଅଭିବୃଦ୍ଧି ପାଇଁ ଏକ ଖସଡା ପ୍ରସ୍ତୁତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ତୃଣମୂଳ ସ୍ତରରେ ଥିବା ଅନୁଷ୍ଠାନ ଓ ଗ୍ରାମାଞ୍ଚଳରେ ଆରୋଗ୍ୟ ସେତୁ ଆପକୁ ଜନପ୍ରିୟ କରି କରୋନା ମହାମାରୀ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରସାର କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ମନ୍ତ୍ରୀମାନେ ରବିବାର ରାତ୍ରି ୯ଟାରେ ୯ ମିନିଟର ଆଲୋକୋତ୍ସବ ପାଳନ ଦିଗରେ ସମଗ୍ର ଦେଶ କିପରି ଏକତା ପ୍ରଦର୍ଶନ କରିଥିଲା ସେ ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକୁ ମନ୍ତ୍ରୀମାନେ ପ୍ରଶଂସା କରିଥିଲେ । ଏହାବ୍ୟତୀତ ସେମାନେ ଦାଦନ ଶ୍ରମିକଙ୍କ ସମସ୍ୟାର ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପ, ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କୁ ବିଭ୍ରାନ୍ତ କରାଉଥିବା ଗୁଜବର ମୁକାବିଲା ଓ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଅବସ୍ଥାପିତ କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଦିଗରେ ନିଆଯାଉଥିବା ତ୍ଵରିତ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିରେ ଭାରତ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ପ୍ରଧାନ ସଚିବ, କ୍ୟାବିନେଟ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

Comments are closed.