ଆଇଟିଏଟିର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅପରାହ୍ଣରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଟିକସ ସଂସ୍କାର ଲାଗୁ କରିବା କ୍ଷେତ୍ରରେ ସରକାର ଅଗ୍ରାଧିକାର ଦେଉଛନ୍ତି। ଲୋକଙ୍କ ଟିକସରେ ଦେଶରେ ବିକାଶ ମୂଳକ କାର୍ଯ୍ୟ ଆଗେଇ ଚାଲିଛି ବୋଲି ସେ କହିଛନ୍ତି। ଦେଶରେ ଟିକସ ବ୍ୟବସ୍ଥାରେ ପାରଦର୍ଶୀତା ଆଣିବା ପାଇଁ ଅଧିକ ଗୁରୁତ୍ବ ଦିଆଯାଉଛି। ବିଗତ ଦିନରେ ଟ୍ୟାକ୍ସ ଟେରରିଜିମ୍ ଭଳି ଶବ୍ଦ ଶୁଣିବାକୁ ମିଳୁଥିଲା, ଏବେ କିନ୍ତୁ ଟିକସ ବ୍ୟବସ୍ଥାରେ ପାରଦର୍ଶୀତା ଆସିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ପରିବର୍ତ୍ତନ, ପ୍ରଦର୍ଶନ ଓ ସଂସ୍କାର ଉପ​ରେ ତାଙ୍କ ସରାକର ଅଧିକ ଜୋର ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜିର ଟିକସଦାତା ସମଗ୍ର ଟିକସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଏବଂ ପାରଦର୍ଶୀତାର ସାକ୍ଷୀ ରହିଛନ୍ତି। ଯେତେବେଳେ କି ତାଙ୍କୁ ଫେରସ୍ତ ପାଇଁ ଆଉ ମାସେ ମାସେ ଧରି ଅପେକ୍ଷା କରିବାକୁ ପଡିବ ନାହିଁ, ସେମାନେ କିଛି ସପ୍ତାହ ମଧ୍ୟରେ ଫେରସ୍ତ ପାଇଲେ,ପାରଦର୍ଶୀତା ବିଷୟରେ ଅନୁଭବ କରିପାରିବେ।

Image Source : DD News

ପ୍ରଧାନମନ୍ତ୍ରୀ କହିଛନ୍ତି,ବର୍ତ୍ତମାନ ସରକାରଙ୍କ ଚିନ୍ତାଧାରା ହେଉଛି ଯେଉଁ ଆୟକର ରିଟର୍ଣ୍ଣ ଦାଖଲ ହେଉଛି, ଏହାକୁ ପ୍ରଥମେ ବିଶ୍ୱାସ କରାଯାଉଛି। ଫଳସ୍ୱରୂପ, ଆଜି ଦେଶରେ ଦାଖଲ ହୋଇଥିବା ୯୯.୭୫ ପ୍ରତିଶତରେ କୌଣସି ବିନା ଆପତ୍ତିରେ  ଗ୍ରହଣ କରାଯାଉଛି। ଏହା ହେଉଛି ଏକ ବଡ ପରିବର୍ତ୍ତନ ଯାହା ଦେଶର ଟିକସ ବ୍ୟବସ୍ଥାରେ ଆସିଛି।

ଆୟକର ଆପିଲେଟ ଟ୍ରିବ୍ୟୁନାଲରେ ଅଧିକ ଈ-ଶୁଣାଣି କରିବାକୁ ​ସେ ପରାମର୍ଶ ଦେଇଛନ୍ତି। ନ୍ୟାୟ ସ୍ବରାଜର ମୂଳମନ୍ତ୍ର ବୋଲି ସେ କହିଛନ୍ତି। ବିଚାର ବିଭାଗ ଓ ନ୍ୟାୟ ପାଳିକାରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ଏହି କଟକ ବେଞ୍ଚ ପୂର୍ବ ଏବଂ ପୂର୍ବ ଉତ୍ତର ଭାରତର କରଦାତାଙ୍କୁ ମଧ୍ୟ ସାହାୟତା କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେହିପରି କରୋନା କାଳରେ ସାବଧାନତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତିଗଣ, ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି ଭଟ୍ଟ, କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ପି.ସି. ମୋଦୀ, ଆଇଟିଏଟି ଉପାଧ୍ୟକ୍ଷ ଏବଂ ସଦସ୍ୟଗଣ, ବିଭାଗୀୟ ଅଧିକାରୀ ଏବଂ ଦେଶର ବିଭିନ୍ନ ବାର ଆସୋସିଏସନର ପଦାଧିକାରୀ ଓ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।

ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି ଭଟ୍ଟ କାର୍ଯ୍ୟକ୍ରମ କରିଚାଳନା କରିଥିଲେ।

ସୂଚନାଯୋଗ୍ୟ  ୧୯୭୦ରେ ଏହା ପ୍ରତିଷ୍ଠା କରାଯାଇଥିବା ବେଳେ ପ୍ରାୟ ୫୦ ବର୍ଷ ଧରି ଏହା ଭଡ଼ା ଘରେ ଚାଲି ଆସୁଥିଲା। ତେବେ ଦୀର୍ଘ ଦିନ ପରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ ମାଗଣାରେ ୧.୬୦ ଏକର ଜମି ଯୋଗାଇ ଦେଇଛନ୍ତି। ୧୯୩୮ବର୍ଗମିଟର ସ୍ଥାନରେ କାର୍ଯ୍ୟାଳୟ ପରିସର ନିର୍ମାଣ କରାଯାଇଛି। ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆଦିଙ୍କ ପାଇଁ ବାର କକ୍ଷ ଆଦି ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଇ-ବୁକ୍ ଉନ୍ମୋଚନ କରିଛନ୍ତି

 

Comments are closed.