ଆରବରେ ବେନାମୀ ସମ୍ପତ୍ତି ଠୁଳ କରିଛନ୍ତି ଇମ୍ରାନଙ୍କ ଭଉଣୀ

0

ଇସଲାମାବାଦ : ୟୁନାଇଟେଡ ଆରବ ଏମିରେଟ୍ସରେ ବିପୁଳ ପରିମାଣର ବେନାମୀ ସମ୍ପତ୍ତି ଠୁଳ କରିଥିବା ୪୪ଜଣ ପ୍ରଭାବଶାଳୀ ପାକିସ୍ତାନ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଭଉଣୀ ଅଲିମା ଖାନୁମ୍‍। ପାକିସ୍ତାନ ସୁପ୍ରିମକୋର୍ଟରେ ଦେଶର ଫେଡେରାଲ ଇନ୍‍ଭେଷ୍ଟିଗେସନ୍‍ ଏଜେନ୍ସି(ଏଫ୍‍ଆଇଏ) ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମିଆଁ ସାକିବ ନିଶାରଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ପୀଠ ବିଦେଶକୁ ବେଆଇନ ଚାଲାଣ ହେଉଥିବା ଅର୍ଥ ସଂକ୍ରାନ୍ତ ଏକ ମାମଲାର ବିଚାର କରୁଥିବା ପରିପ୍ରେକ୍ଷୀରେ ଏପରି ଏକ ତାଲିକା ପ୍ରସ୍ତୁତ କରାଯାଇଛି। ତାଲିକାରେ ଥିବା ୪୪ଜଣଙ୍କୁ ଏଫ୍‍ଆଇଏ ‘ବେନାମିଦାର୍‍’ ବୋଲି ଦର୍ଶାଇବା ସହ ସେମାନଙ୍କ ନିକଟକୁ ନୋଟିସ୍‍ ପଠାଇଛି। ଅଲିମାଙ୍କ ଘରେ ଏହି ନୋଟିସ ପହଞ୍ଚିବା ପରେ ଜଣେ ସେ ଆରବରେ ବସବାସ କରୁଥିବା ସୂଚନା ଦେଇଛନ୍ତି ଘରର ଜଣେ କର୍ମଚାରୀ।
ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଦେଶର ଅର୍ଥ ଓ ଶକ୍ତି ବିଭାଗର ଜଣେ ମୁଖପାତ୍ର ଫାରୁକ ସଲିମଙ୍କ ମାଆଙ୍କ ନାମ ରହିଛି। ଏହା ବ୍ୟତୀତ ପାକିସ୍ତାନର ଶାସକ ଦଳ ତେହରିକ୍‍-ଇ-ଇନ୍‍ସାଫର ଜନୈକ ନେତା ମମତାଜ ଅହମ୍ମଦ ମୁସଲିମ, ନୱାଜ ସରିଫଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ଅମିନ ଫହିମ୍‍ଙ୍କ ବିଧବା ରିଜୱାନା ଅମିନଙ୍କ ନାମ ରହିଛି। ମମତାଜଙ୍କ ନାମରେ ୧୬ଟି ସମ୍ପତ୍ତି ରୀହିଥିବାବେଳେ ଅମିନଙ୍କ ନାମରେ ୪ଟି ମୂଲ୍ୟବାନ ସମ୍ପତ୍ତିି ରହିଛି। ସେହିଭଳି ପୂର୍ବତନ ସିନେଟ ସଭ୍ୟ ଏନ୍‍ଭର ବେଗ୍‍ଙ୍କ ପତ୍ନୀ ଆୟେଶା ଏନ୍‍ଭର ବେଗ୍‍ଙ୍କ ନାମ ରହିଛି। ଆୟେଶା ହେଉଛନ୍ତି ଅନୱର ଷ୍ଟିଲ କାରଖ୍‍ାନାର ମାଲିକ। ପାକିସ୍ତାନ ମୁସଲିମ୍‍ ଲିଗ୍‍-ନୱାଜର ବରିଷ୍ଠ ନେତା ଇର୍ଫାନୁଲ୍ଲା ଖାଁ ମରୱାଟ, ପୂର୍ବତନ ରାଷ୍ଟ୍ରପତି ପରଭେଜ୍‍ ମୁସରଫଙ୍କ ବ୍ୟକ୍ତିଗତ ସଚିବ ଥିବା ତାରିକ ଅଜିଜ୍‍ଙ୍କ ଝିଅ ତାହିରା ମନ୍‍ଜୁରଙ୍କ ନାମ ରହିଛି। ତାହିରାଙ୍କ ନାମରେ ୬ଟି ସମ୍ପତ୍ତି ରହିଛି। ପୂର୍ବତନ ମନ୍ତ୍ରୀ ହୁମାୟୁନ୍‍ ଅଖତାର ଓ ହାରୁନ୍‍ ଅଖତାରଙ୍କ ଭାଇ ଆକବର ଖାଁଙ୍କ ନାମରେ ୬ଟି ସମ୍ପତ୍ତି ରହିଛି। ଅନ୍ୟମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଅଦନାନ ସାମୀ ଖାଁଙ୍କ ମାଆ ନୁରୀନ୍‍ ସାମି ଖାଁଙ୍କ ନାମରେ ୩ଟି ସମ୍ପତ୍ତି ରହିଥିବା ଜଣାପଡ଼ିଛି।

Leave A Reply