ମୋଦୀ-ପୁଟିନଙ୍କ ଟେଲିଫୋନ ବାର୍ତ୍ତାଳାପ : ‘ସ୍ପୁଟନିକ୍-ଭି’ ସମଗ୍ର ମାନବ ସମାଜକୁ ମହାମାରୀ ମୁକାବିଲାରେ ସାହାଯ୍ୟ କରିବ

ଭାରତରେ ସ୍ପୁଟନିକ୍-ଭି ଟିକାକୁ ଅନୁମୋଦନ ନେଇ ପୁଟିନଙ୍କ ପ୍ରଶଂସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ନେତା କୋଭିଡ-୧୯ ମହାମାରୀ ସମ୍ପର୍କରେ ଆଲୋଚନା କରିଥିଲେ। ରାଷ୍ଟ୍ରପତି ପୁଟିନ ଏହି ସମୟରେ ଭାରତ ସରକାର ଓ ଦେଶବାସୀଙ୍କ ସହିତ ଅଛନ୍ତି ଓ ରୁଷ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତକୁ ରୁଷର ସାହାଯ୍ୟ ଦୁଇ ଦେଶର ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ ବୋଲି କହିଥିଲେ।
ଉଭୟ ନେତା ବୈଶ୍ୱିକ ମହାମାରୀ ମୁକାବିଲା କରିବା ଦିଗରେ ଦୁଇ ଦେଶର ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ପୁଟନିକ୍-ଭି ଟିକାର ଜରୁରୀକାଳୀନ ବ୍ୟବହାରକୁ ଭାରତ ଅନୁମୋଦନ କରିବା ନେଇ ପୁଟିନ ତାହାର ପ୍ରଶଂସା କରିଥିଲେ। ଭାରତରେ ଋଷ ଟିକା ସ୍ପୁଟନିକ୍-ଭି ଉତ୍ପାଦନ ଦ୍ବାରା ଭାରତ, ଋଷ ଏବଂ ଅନ୍ୟାନ୍ୟ ଦେଶରେ ବ୍ୟବହାର ହେବ। ଶ୍ରୀ ମୋଦୀ ଏକ ଟୁଇଟ୍‌ରେ କହିଛନ୍ତି ଯେ ସ୍ପୁଟନିକ୍-ଭି ଟିକା ଉପରେ ଆମର ସହଯୋଗ, ମାନବ ସମାଜକୁ ମହାମାରୀର ମୁକାବିଲା କରିବାରେ ସାହାଯ୍ୟ କରିବ।

ଦୁଇଦେଶର ସ୍ୱତନ୍ତ୍ର ଭାଗିଦାରୀତା ମନୋଭାବ ଦୃଷ୍ଟିରୁ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ଗଗନଯାନ କାର୍ଯ୍ୟକ୍ରମ ଓ ଏଥିପାଇଁ ଚାରିଜଣ ମହାକାଶଚାରୀଙ୍କ ରୁଷରେ ତାଲିମ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।
ଉଦଯାନ ମିତବ୍ୟୟିତା ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ଉଭୟ ଦେଶର ଅଧିକ ସହଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ନୂତନ ଭାବେ ବିଭିନ୍ନ ଆଲୋଚନା ପାଇଁ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଥିଲା ।
ସେପ୍ଟେମ୍ବର ୨୦୧୯ରେ ଉଭୟ ନେତା ଭ୍ଲାଡିଭୋଷ୍ଟକ ଶିଖର ସମ୍ମିଳନୀରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଗାମୀ ଦିନରେ ପୁଟିନ ଭାରତ ଆସିଲେ ଉଭୟନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା ଅଧିକ ବ୍ୟାପକ ହୋଇପାରିବ ବୋଲି କହିଥିଲେ। ୨୦୨୧ ବ୍ରିକ୍ସ ସମ୍ମିଳନୀରେ ଭାରତର ନେତୃତ୍ୱକୁ ରୁଷ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଶ୍ରୀ ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ବ୍ୟାପାରରେ ଉଭୟନେତା ଆଲୋଚନା କରିବେ ବୋଲି ନିଜ ନିଜ ସମ୍ମତି ପ୍ରଦାନ କରିଥିଲେ ।

Comments are closed.