ଐତିହାସିକ ବୋଡ଼ୋ ବୁଝାମଣା ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବୋଡ଼ୋ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହାଦ୍ୱାରା ବୋଡ଼ୋ ଲୋକମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିବ । ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶାନ୍ତି, ସୌହାର୍ଦ୍ଦ୍ୟ ଓ ଏକତ୍ୱର ଏକ ନୂଆ ସକାଳ ଆରମ୍ଭ ହୋଇଛି! ଆଜି ଭାରତ ପାଇଁ ଏକ ବିଶେଷ ଦିନ । ବୋଡ଼ୋ ସମୁଦାୟ ସହ ସ୍ୱାକ୍ଷରିତ ବୁଝାମଣା, ଯାହା ଆଜି ସମ୍ପାଦିତ ହୋଇଛି ଏହା ବୋଡ଼ୋ ଲୋକମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ।


ଆଜି ସ୍ୱାକ୍ଷରିତ ବୋଡ଼ୋ ବୁଝାମଣା ବିଭିନ୍ନ ଦିଗରୁ ଗୁରୁତ୍ୱପୂର୍ଣ୍ଣ । ଏହା ସଫଳତାପୂର୍ବକ ସମସ୍ତ ଅଗ୍ରଣୀ ଅଂଶୀଦାରଙ୍କୁ ଗୋଟିଏ ମଞ୍ଚ ଅଧୀନକୁ ଆଣିଛି । ଯେଉଁମାନେ ପୂର୍ବରୁ ହିଂସାତ୍ମକ ପ୍ରତିରୋଧ ଗୋଷ୍ଠୀ ଥିଲେ ସେମାନେ ଏବେ ମୁଖ୍ୟଧାରାକୁ ଆସି ଦେଶର ବିକାଶରେ ଯୋଗଦାନ ଦେବେ ।
ବୋଡ଼ୋ ସମୁଦାୟ ସହ ହୋଇଥିବା ଏହି ବୁଝାମଣା ସେମାନଙ୍କ ଅଭିନବ ସଂସ୍କୃତିକୁ ସଂରକ୍ଷଣ ଯୋଗାଇଦେବ ଏବଂ ଲୋକପ୍ରିୟ କରିବ । ସେମାନେ ବ୍ୟାପକ ବିକାଶମୂଳକ ଯୋଜନାର ସୁଫଳ ପାଇପାରିବେ । ବୋଡ଼ୋ ଲୋକମାନଙ୍କ ଆଶାଆଙ୍କାକ୍ଷା ପୂରଣ ଲାଗି ଯଥାସମ୍ଭବ ସହାୟତା କରିବା ଲାଗି ଆମେ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ କେନ୍ଦ୍ର ସରକାର ଆସାମରେ କଟକଣା ଲାଗୁ ହୋଇଥିବା ଉଗ୍ରବାଦୀ ଗୋଷ୍ଠୀ, ନ୍ୟାଶନାଲ ଡେମୋକ୍ରେଟିକ ଫ୍ରଣ୍ଟ ଅଫ ବୋଡୋଲ୍ୟାଣ୍ଡ ସହ ସୋମବାର ରାଜିନାମା ଉପରେ ହସ୍ତାକ୍ଷର କରିଛନ୍ତି । ଏବେ ଏହି ରାଜିନାମା ପରେ ଏହି ସଂଗଠନ ଆଲଗା ବୋଡୋଲ୍ୟାଣ୍ଡ ରାଜ୍ୟ କିମ୍ୱା କେନ୍ଦ୍ର ଶାସିତ ପ୍ରଦେଶ ଦାବି କରିବେ ନାହିଁ । ଗତ ୨୭ ବର୍ଷରେ ଏହା ତୃତୀୟ ବୋଡୋ ରାଜିନାମା । ଏହି ରାଜିନାମା ପରେ ପ୍ରାୟ ୫୦ ବର୍ଷରୁ ଜାରି ରହିଥିବା ବୋଡୋଲ୍ୟାଣ୍ଡ ବିବାଦ ଶେଷ ହୋଇଛି ଯେଉଁଥିରେ ଏବେ ସୁଦ୍ଧା ୨୮୨୩ ଲୋକ ନିଜର ଜୀବନ ହରାଇ ସାରିଛନ୍ତି। ସୋମବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚୁକ୍ତିନାମା ଉପରେ ହସ୍ତାକ୍ଷାର କରିବା ପରେ ଅମିତ ଶାହ କହିଛନ୍ତି, ଏହି ରାଜିନାମା ଆସାମ ଏବଂ ବୋଡୋର ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ।

ତ୍ରିପାକ୍ଷୀୟ ରାଜିନାମା ଉପରେ ଗୃହମନ୍ତ୍ରୀ ଅମିତ ଶାହ, ଏବଂ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ଉପସ୍ଥିତିରେ ଏନଡିଏଫବିର ଚାରି ଗୋଷ୍ଠୀର ଶୀର୍ଷ ନେତୃତ୍ୱ, ଗୃହ ମନ୍ତ୍ରାଳୟର ସଂଯୁକ୍ତ ସତ୍ୟେନ୍ଦ୍ର ଗର୍ଗ ଏବଂ ଆସାମର ମୁଖ୍ୟ ସଚିବ କୁମାର ସଞ୍ଜୟ କୃଷ୍ଣା ହସ୍ତାକ୍ଷର କରିଥିଲେ । ଏହି ବୋଡ଼ୋ ବୁଝାମଣା ମାଧ୍ୟମରେ ଆସାମରେ ବୋଡୋ ଉଗ୍ରବାଦ ଶେଷ କରାଯାଇ ପାରିବ ଏବଂ ରାଜ୍ୟର ବୋଡୋ ବହୁଳ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ।

Comments are closed.