ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ କ୍ୟାବିନେଟ ବୈଠକ : “ପିଏମ ସ୍ୱନିଧି ଯୋଜନା”ର ଶୁଭାରମ୍ଭ

ଉଠାଦୋକାନୀଙ୍କୁ ଶସ୍ତା ଋଣ ପ୍ରଦାନ ଲାଗି ସ୍ୱତନ୍ତ୍ର ମାଇକ୍ରୋ କ୍ରେଡିଟ ସୁବିଧା ଯୋଜନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେତେକ ଐତିହାସିକ ନିର୍ଣ୍ଣୟ ନିଆଯାଇଛି । ଯାହା ଭାରତର ପରିଶ୍ରମୀ କୃଷକ, ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ଏବଂ ଉଠାଦୋକାନୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କର  ଆୟ ବୃଦ୍ଧିରେ ସହାୟକ ହେବ ।

ଉଠାଦୋକାନୀଙ୍କ ପାଇଁ ପିଏମ ସ୍ୱନିଧି ଯୋଜନା :

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଠାଦୋକାନୀମାନଙ୍କୁ ଅଳ୍ପ ସୁଧରେ ଶସ୍ତା ଋଣ ଦେବା ଲାଗି ଏକ ସ୍ୱତନ୍ତ୍ର ମାଇକ୍ରୋ କ୍ରେଡିଟ ସୁବିଧା ଯୋଜନା-ପିଏମ ସ୍ୱନିଧି-ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧିର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ସେମାନଙ୍କୁ ପୁଣିଥରେ କାମ ଆରମ୍ଭ କରିବା ଏବଂ ନିଜର ଜୀବନଜୀବିକା ନିର୍ବାହ କରିବା ଲାଗି  ସକ୍ଷମ କରିବା କ୍ଷେତ୍ରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସହାୟକ ହୋଇପାରିବ । ବିଭିନ୍ନ ପ୍ରକାରର କ୍ଷୁଦ୍ର ବ୍ୟବସାୟୀ, ଭେଣ୍ଡର, ହକର, ବୁଲା ବିକାଳି, ଉଠାଦୋକାନୀ, ଠେଲାଗାଡ଼ିରେ ଫଳ ବିକ୍ରେତା ଆଦିଙ୍କ ସମେତ ୫୦ ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରୁ ଲାଭ ପାଇପାରିବେ।
ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସାମଗ୍ରୀରେ ପନିପରିବା, ଫଳ, ରେଡି ଟୁ ଇଟ ଷ୍ଟ୍ରିଟ ଫୁଡ, ଚା’, ପକୁଡ଼ି, ବ୍ରେଡ, ଅଣ୍ଡା, ପୋଷାକ, ଅଳଙ୍କାର, ଜୋତା କାରିଗର ସାମଗ୍ରୀ, ବହି/ଷ୍ଟେସନାରୀ ଆଦି ସାମିଲ ରହିଛି । ସେବାଗୁଡ଼ିକ ମଧ୍ୟରେ ସେଲୁନବାଲା, ମୋଚି, ପାନ ଦୋକାନୀ ଏବଂ ଲଣ୍ଡ୍ରି ଦୋକାନ ସାମିଲ ରହିଛି । କୋଭିଡ-୧୯ ସଙ୍କଟ ସମୟରେ ଏମାନେ ଯେପରି ଭାବେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କ ପ୍ରତି ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ ଅଛନ୍ତି । ଏଭଳି ସମୟରେ ସେମାନଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବା ଲାଗି ଶସ୍ତା ଋଣ ପ୍ରଦାନ କରାଯିବାର ଜରୁରି ଆବଶ୍ୟକତା ରହିଛି।
ସହରୀ ସ୍ଥାନୀୟ ପ୍ରଶାସନ ଏହି ଯୋଜନାର କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଏହି ଯୋଜନା ଅନେକ କାରଣରୁ ସ୍ୱତନ୍ତ୍ର ଏବଂ
ପ୍ରଥମ ଐତିହାସିକ ଯୋଜନା :
ଏହା ଭାରତ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି ଯେ ସହରୀ/ଗ୍ରାମୀଣ କ୍ଷେତ୍ର ପାର୍ଶ୍ବବର୍ତୀ ରାସ୍ତାରେ ସାମଗ୍ରୀ ବିକ୍ରେତା ସହରୀ ଜୀବିକା କାର୍ଯ୍ୟକ୍ରମର ହିତାଧିକାରୀ ହୋଇପାରିଛନ୍ତି । ବୁଲାବିକାଳୀମାନେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟଶୀଳ ପୁଞ୍ଜି ଋଣର ଲାଭ ଉଠାଇପାରିବେ ଯାହାକୁ ସେମାନେ ଗୋଟିଏ ବର୍ଷରେ ମାସିକ କିସ୍ତିରେ ପରିଶୋଧ କରିପାରିବେ । ସଠିକ ସମୟରେ/ଶୀଘ୍ର ଋଣ ପରିଶୋଧ କଲେ ବାର୍ଷିକ ୭% ହାରରେ ସୁଧ ସବସିଡି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ୬ ମାସ ପର୍ଯ୍ୟନ୍ତ ଜମା କରାଯିବ । ଋଣ ଆଗୁଆ ପରିଶୋଧ କରିବା ଲାଗି କୌଣସି ଜୋରିମାନା ପଡ଼ିବ ନାହିଁ ।
ଏହି ଯୋଜନାରେ ଋଣ ସୀମାକୁ ନିର୍ଦ୍ଧାରିତ ସମୟରେ/ଶୀଘ୍ର ପରିଶୋଧ କରିବା ଲାଗି ଋଣ ସୀମାରେ ବୃଦ୍ଧି କରିବାରେ ସହାୟତା ମିଳିଥାଏ ଯାହାଦ୍ୱାରା ବିକ୍ରେତାଙ୍କୁ ଆର୍ଥିକ ଶିଢ଼ିରେ ଚଢ଼ିବା ଲାଗି ନିଜର ମହତ୍ୱକାଂକ୍ଷା ପୂରଣ କରିବାର ସୁଯୋଗ ମିଳିବ।
ତୃଣମୂଳସ୍ତରରେ ଉପସ୍ଥିତି ଏବଂ ରାସ୍ତାକଡ଼ରେ ସାମଗ୍ରୀ ବିକ୍ରି କରୁଥିବା ସହରାଞ୍ଚଳ ଗରିବଙ୍କ ସହିତ ନିବିଡ଼ ସମ୍ପର୍କ ପାଇଁ ପ୍ରଥମର ଏମଏଫଆଇ/ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ/ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କଗୁଡ଼ିକୁ ଏହି ଯୋଜନାରେ ସାମିଲ ହେବାର ଅନୁମତି ଦିଆଯାଇଛି।

ସେହିପରି  କେନ୍ଦ୍ର ସରକାର ଆଜି ଆତ୍ମନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ ଅନ୍ୟ ଘୋଷଣାଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ନିମନ୍ତେ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଏଥିରେ ସାମିଲ ରହିଛି:
• ଏମଏସଏମଇ ପରିଭାଷାରେ ବୃଦ୍ଧି ଲାଗି ସଂଶୋଧନ। ବ୍ୟବସାୟକୁ ସହଜ କରିବା ଦିଗରେ ଏହା ଏକ ପଦକ୍ଷେପ। ଏହା ଏମଏସଏମଇ କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇପାରିବ;
• ଚାପଗ୍ରସ୍ତ ଏମଏସଏମଇଗୁଡ଼ିକୁ ଇକ୍ୟୁଟି ସହାୟତା ପ୍ରଦାନ କରିବା ଲାଗି ଅଧୀନସ୍ଥ ଋଣ ରୂପରେ ୨୦, ୦୦୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବକୁ ଆଜି କ୍ୟାବିନେଟ ଔପଚାରିକ ଭାବେ ମଞ୍ଜୁରି ଦେଇଛନ୍ତି। ଏହାଦ୍ୱାରା ୨ ଲକ୍ଷ ଚାପଗ୍ରସ୍ତ ଏମଏସଏମଇ ଲାଭାନ୍ୱିତ ହେବେ;
• ଏମଏସଏମଇ ଲାଗି ୫୦,୦୦୦ କୋଟି ଟଙ୍କାର ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଧ୍ୟ ଆଜି କ୍ୟାବିନେଟ ମଞ୍ଜୁରି ମିଳିଛି। ଏହା ଏମଏସଏମଇଗୁଡ଼ିକୁ ଋଣ-ଇକ୍ୟୁଟି ଅନୁପାତର ପରିଚାଳନା ଏବଂ ସେମାନଙ୍କ କ୍ଷମତା ବୃଦ୍ଧିରେ ସହାୟତା ନିମନ୍ତେ ଏକ ଢାଂଚା ଉପଲବ୍ଧ କରାଇବ। ଏହା ସେମାନଙ୍କୁ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ଲାଗି ସୁଯୋଗ ମଧ୍ୟ ପ୍ରଦାନ କରିବ।

ଗରିବଙ୍କ କଲ୍ୟାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା : 

ଗରିବ ଓ ବଞ୍ଚିତଙ୍କ କଲ୍ୟାଣ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । କରୋନା ଭୂତାଣୁ ମହାମାରୀ ସମୟରେ ଲକଡାଉନ ସମୟରେ ପ୍ରଥମ ଦିନରୁ ହିଁ ସରକାର ଗରିବ ଏବଂ ବଂଚିତଙ୍କ ପ୍ରତି ସମ୍ବେଦନଶୀଳ ରହିଛନ୍ତି । ଲକହାଉନ ଆରମ୍ଭ ହେବାର ଦୁଇ ଦିନ ମଧ୍ୟରେ ୨୬ ମାର୍ଚ୍ଚ, ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ସରକାରଙ୍କ ସମ୍ବେଦନଶୀଳତାର ପ୍ରତିଫଳନ ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିମଧ୍ୟରେ ରହିଛି ୮୦ କୋଟି ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ୨୦ କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ନଗଦ ହସ୍ତାନ୍ତର, ବରିଷ୍ଠ ନାଗରିକ, ଗରିବ ବିଧବା ଏବଂ ଗରିବ ଦିବ୍ୟାଙ୍ଗଙ୍କ ଖାତାରେ ଅର୍ଥ ଜମା କରିବା ଏବଂ ପିଏମ କିଷାନ ଯୋଜନାରେ ଆର୍ଥିକ ସହାୟତା ଉପଲବ୍ଧ କରାଇବା ।
ସରକାର ଏସବୁ ପଦକ୍ଷେପ କାରଣରୁ ଲକଡାଉନ୍ ଯୋଗୁ ପ୍ରଭାବିତ ହୋଇଥିବା ସମ୍ବେଦନଶୀଳ ବର୍ଗଙ୍କୁ ଯଥେଷ୍ଟ ଲାଭ ମିଳିପାରିଛି । କେବଳ ଘୋଷଣା ନୁହେଁ, ବରଂ ମାତ୍ର କିଛି ଦିନ ମଧ୍ୟରେ କୋଟି କୋଟି ଲୋକଙ୍କୁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସାମଗ୍ରୀ ମିଳିପାରିପାରିଛି । ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ ହୋଇଛି, ରାସନ କାର୍ଡ ନଥିବା ଲୋକମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି । ସହରାଞ୍ଚଳ ବାସହୀନ ଓ ପ୍ରବାସୀମାନଙ୍କୁ ଶସ୍ତାରେ ଆବାସ ଯୋଗାଣ ନିମନ୍ତେ ଏକ ନୂଆ ଘରଭଡ଼ା ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଅନେକ ଘୋଷଣା କରାଯାଇଛି ।
କୃଷକମାନଙ୍କ କଲ୍ୟାଣ ନିମନ୍ତେ ବ୍ୟାପକ ସୁଧାର ନିମନ୍ତେ ଘୋଷଣା କରାଯାଇଛି। କୃଷକମାନଙ୍କ ରୋଜଗାର କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବ୍ୟବସ୍ଥାକୁ ଦୂର କରାଯାଇଛି, ଯାହାଫଳରେ ସେମାନେ ଅଧିକ ଆୟ କରିପାରିବେ । ଏଥିସହିତ କୃଷି ଭିତିଭୂମିରେ ନିବେଶ ଲାଗି ଅନେକ ପ୍ରସ୍ତାବ ଦିଆଯାଇଛି। ମତ୍ସ୍ୟପାଳ ଭଳି ସହାୟକ କୃଷି ଗତିବିଧିକୁ ଆର୍ଥିକ ପ୍ୟାକେଜରେ ସାମିଲ କରାଯାଇଛି ।
ସରକାରଙ୍କ ପ୍ରତ୍ୟେକ ପଦକ୍ଷେପରେ ଗରିବ ଓ ବଞ୍ଚିତ ଲୋକମାନଙ୍କ ପ୍ରତି ସହାନୁଭୂତି ଓ ସମ୍ବେଦନଶୀଳତା ଦେଖିବାକୁ ମିଳିଛି ।

Comments are closed.