‘ପିଏମ୍‌ କେୟାର୍ସ’ରେ ମୋଦୀଙ୍କ ନାମ ଓ ଫଟୋ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ

ମୁମ୍ବଇ: ବହୁ ଚର୍ଚ୍ଚିତ ‘ପିଏମ୍‌ କେୟାର୍ସ’ ପାଣ୍ଠି ସରକାରୀ ନୁହେଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ଏହା ୱେବ୍‌ସାଇଟ୍‌ରୁ ପ୍ରଧାନମନ୍ତ୍ରୀଙ୍କ ନାମ ଓ ଫଟୋ ହଟାଇବା ଦାବି ଉପରେ ଜବାବ ଲୋଡ଼ିଛନ୍ତି ବମ୍ବେ ଉଚ୍ଚ ନ୍ୟାୟାଳୟ। ଏ ସମ୍ପର୍କରେ ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଓ ବିଚାରପତି ଏମ୍‌ଏସ୍‌ କାର୍ଣ୍ଣିକଙ୍କୁ ନେଇ ଗଠିତ ପୀଠ ଏହାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଦର୍ଶାଇ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଏଥିପାଇଁ ପୀଠ ଦୁଇ ସପ୍ତାହ ସମୟ ଦେଇଛନ୍ତି।

ବିକ୍ରାନ୍ତ ଚୌହାଣ ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ହୋଇଥିବା ଏ ସଂକ୍ରାନ୍ତ ଆବେଦନ ଉପରେ ଶୁଣାଣି କରି ପୀଠ କହିଛନ୍ତି ଯେ କରୋନା ସମୟରେ ୨୦୨୦ ମାର୍ଚ୍ଚରେ କେନ୍ଦ୍ର ସରକାର ଗଠନ କରିଥିବା ଏହି ପାଣ୍ଠିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ଥିବାରୁ ଏହା ସରକାରୀ ବୋଲି ଲୋକଙ୍କ ଧାରଣା ସୃଷ୍ଟି ହୋଇଥିଲା। ପ୍ରତିରକ୍ଷା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଏହାର ସଦସ୍ୟ ଏବଂ ସରକାର ଏହାର ପ୍ରାୟୋଜକ ଥିବାରୁ ଲୋକେ ଏହାକୁ ଏକ ଜାତୀୟ ପାଣ୍ଠି ବୋଲି ବିଶ୍ବାସ କରି ଅକୁଣ୍ଠ ଦାନ କରିଥିଲେ। ଏହି ପାଣ୍ଠିକୁ ହଜାର ହଜାର କୋଟି ଟଙ୍କା ଦାନ ମିଳିଥିଲା। ପରେ ସରକାର ଅଦାଲତକୁ ଏହା ସରକାରୀ ପାଣ୍ଠି ନୁହେଁ ବୋଲି ସତ୍ୟପାଠ ଜରିଆରେ ଜଣାଇବା ପରେ ପ୍ରଧାନମନ୍ତ୍ରୀଙ୍କ ନାମ ଓ ଫଟୋ ଏଥିରେ ଲଗାଯିବା ଅସମୀଚୀନ ବୋଲି ଆବେଦନକାରୀ ଯାହା ଦର୍ଶାଇଛନ୍ତି ତାହା ଯୁକ୍ତିଯୁକ୍ତ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ନାମ ଓ ଫଟୋ ବ୍ୟବହାରର ଯଥାର୍ଥତା ସମ୍ପର୍କରେ ଜବାବ ଅପରିହାର୍ଯ୍ୟ।

Comments are closed.